ମହାଭାରତ/ ଜୟପୁର: ରାଜସ୍ଥାନରୁ ଆଉ ୫ଟି ନୂଆ କୋଭିଡ-୧୯ ମାମଲା ରେଜିଷ୍ଟର ହୋଇଛି । ଏହା ପରେ ରାଜ୍ୟରେ କରୋନା ପଜିଟିଭ କେଶ ୩୪୮ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ୫ଟି ମାମଲା ମଧ୍ୟରେ ବିକାନେରରୁ ଜଣେ ୨୧ ବର୍ଷୀୟ ଯୁବକ ରହିଛନ୍ତି । ସେ ଦିଲ୍ଲୀରେ ତବଲିଗ ଜମାତରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିଲେ । ସେହିପରି ବନସୋରାରେ ଜଣେ ୫୦ ବର୍ଷୀୟ ମହିଳା, ଯିଏ ଜଣେ କୋଭିଡ-୧୯ ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ଏହି ତିନୋଟି ମାମଲା ବ୍ୟତୀର ଜୟପୁରର ଜଣେ ୪୦ ବର୍ଷୀୟ ପୁରୁଷ, ଜଣେ ମହିଳା ଓ ଜଣେ ୪ ବର୍ଷର ଶିଶୁଙ୍କ ଠାରେ କରୋନା ଚିହ୍ନଟ ହୋଇଛି । ଏମାନେ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିଲେ ।
ସୂଚନାଯୋଗ୍ୟ, ଦେଶରେ ବୁଧବାର ସୁଦ୍ଧା ୫,୧୯୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୪୬୪୩ ଆକ୍ଟିଭ କେଶ ଥିବା ବେଳେ ୪୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ନୂତନ ମୃତ୍ୟୁ ରିପୋର୍ଟ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୪୯ରେ ପହଞ୍ଚିଛି ।