ଗୋପ/ ଜୟନ୍ତ ସେଠୀ: ପୁରୀ ଡାକ୍ତରଖାନା ଛକ ଠାରୁ ବାଟଗାଁ ଓ ଅଠରନଳା ଓ ଜିତକର ପର୍ୟ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କୁମ୍ଭାରପଡା ପୁରୁଣା ଜେଲ ରୋଡସ୍ଥିତ ଜାଇଗଡ କ୍ଲବ ଏବଂ ଅପରାହ୍ନରେ ଅଠରନଳା ଓ ଜିତକର ମୁଦୁଲି ପାଟଣା ଅଞ୍ଚଳ ନିମନ୍ତେ ଗୋପିନାଥପୁର ପଞ୍ଚାୟତ କାର୍ୟ୍ୟାଳୟରେ ଜନଶୁଣାଣି ହୋଇଛି । ରାସ୍ତା ନିର୍ମାଣ ପାଇଁ ପୁରୀ ତହସିଲ ଅନ୍ତର୍ଗତ ତିନୋଟି ପଞ୍ଚାୟତର ୧୧ଟି ଗ୍ରାମରୁ ୬.୪୭୬୫ ଏକର ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରେ ୧.୧୦୯ ଏକର ସରକାରୀ ଜମି ଓ ୬୨୮ଟି ପରିବାରର ୫.୩୬୭୫ ଏକର ବ୍ୟକ୍ତିଗତ ଜମି ରହିଛି । ଏଥିମଧ୍ୟରୁ କୁମ୍ଭାରପଡା ଗ୍ରାମରୁ ସର୍ବାଧିକ ୦.୯୪୧୫ ଏକର ଥିବାବେଳେ ସିରେଇକଣାପାଟଣା ଗ୍ରାମର ସର୍ବନିମ୍ନ ୦.୩୧୮ ଏକର ଜମି ରହିଛି । ଏହି ପ୍ରକଳ୍ପଟି ଅବଢା ଯୋଜନାର ଅନ୍ତର୍ଭୁକ୍ତ ଓ ଉକ୍ତ ରାସ୍ତାଟି ରଥଯାତ୍ରା, ବଡଦିନ ଛୁଟି, କାର୍ତ୍ତିକ ମାସ ଭଳି ପର୍ବପର୍ବାଣି ସମୟରେ ସର୍ବାଧିକ ବ୍ୟବହାର ହୋଇଥାଏ । ଯାନବାହାନର ଗହଳିକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବାକୁ ୨୦୧୭-୧୮ ମସିହାରେ ନିଷ୍ପତ୍ତି ହୋଇଥିଲା । ଭୁବନେଶ୍ବରସ୍ଥିତ ଜୟଦେବ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ଆଣ୍ତ ରିସର୍ଚ ପକ୍ଷରୁ ଉକ୍ତ ପ୍ରକଳ୍ପର ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ କରାଯାଇଥିଲା । ଜନଶୁଣାଣିରେ ଉପ ଜିଲ୍ଲାପାଳ ଭବତାରଣ ସାହୁ,ଅର୍ଜନ ସ୍ବତନ୍ତ୍ର ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ପ୍ରଶାସକ, ତହସିଲଦାର, ଭୂଅର୍ଜନ ଅଧିକାରୀ, ଜାଇଗଡ ଯାଗା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।