(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସେରପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ବୁଧବାର ସକାଳେ ରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟି ଏଠାରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡରେ ମହିଳାଙ୍କ ସ୍ୱାମୀ ଗୁରତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ସରୋଜିନୀ ପରିଡା ବୋଲି ଜଣାପଡିଛି । ତାଙ୍କ ସ୍ୱାମୀ ଅନ୍ତର୍ଯ୍ୟାମୀ ପରିଡାଙ୍କୁ ଗୁରତର ଅବସ୍ଥାରେ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବୁଧବାର ସକାଳେ ସରୋଜିନୀ ରୋଷେଇ କରୁଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ଘରେ ଅଗ୍ନିକାଣ୍ଡ ହୋଇଥିଲା । ପରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତାହା ଫାଟି ଯାଇଥିଲା । ଘଟଣାସ୍ଥଳରେ ସରୋଜିନୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗରୁତର ଆହତ ହୋଇଛନ୍ତି । ଖବର ପାଇ ଭଦ୍ରକରୁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଆହତଙ୍କୁ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ୩ ବଖରା ଘର ସହ ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୭ ମାସ ପୂର୍ବେ ଏହି ଦମ୍ପତ୍ତିଙ୍କ ବିବାହ ହୋଇଥିବା ବେଳେ ଏପରି ଘଟଣା ଯୋଗୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
previous post