ଓଡିଶା

ସରପଞ୍ଚଙ୍କୁ ମାଡ ମାରିବା ଅଭିଯୋଗରେ କନେଷ୍ଟବଲ ନିଲମ୍ବିତ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ମାତ୍ର ଜଣେ ସରପଞ୍ଚ ସଙ୍ଗରୋଧ କେନ୍ଦ୍ରର ତଦାରଖ ସାରି ଫେରୁଥିବାବେଳେ ପୋଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଘଟଣା ସମ୍ପର୍କରେ ଛାନଭୀନ କରିବା ପରେ ଗଞ୍ଜାମ ଏସପି ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରିବା ସହ ଏସ୍ଆଇଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ୟ୍ୟନଗର ବ୍ଲକ ଆଠଗଡପାଟଣା ପଞ୍ଚାୟତରେ।
ସୂଚନା ଅନୁଯାୟୀ, ଆଠଗଡପାଟଣା ସରପଞ୍ଚ ସୁନୀଲ କୁମାର ପୋଲେଇ ଶୁକ୍ରବାର ସକାଳେ କବିସୂର୍ୟ୍ୟ ବିଦ୍ୟାପୀଠ ସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ଯାଇ ଅନ୍ତେବାସୀଙ୍କ ଖାଦ୍ୟପେୟ ବ୍ୟବସ୍ଥା ତଦାରଖ କରି ଘରକୁ ଫେରୁଥିଲେ। ରାସ୍ତାରେ ପୋଲିସ ପାଟ୍ରୋଲିଂ ଭ୍ୟାନ ତାଙ୍କୁ ଅଟକାଇ ମାସ୍କ କାହିଁକି ପିନ୍ଧିନାହଁ ବୋଲି ପଚାରିବା ସହ ନିସ୍ତୁକ ପିଟିଥିଲା। ସରପଞ୍ଚ ଗାଁରେ ପହଞ୍ଚି ଘଟଣା ସମ୍ପର୍କରେ କହିବା ପରେ ଗାଁ ଲୋକେ ଆସିକା-ଭୁବନେଶ୍ୱର ମୁଖ୍ୟରାସ୍ତାକୁ ପ୍ରାୟ ୩ ଘଣ୍ଟା ଧରି ଅବରୋଧ କରିଥିଲେ। କବିସୂର୍ୟ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ର, ଥାନା ଅଧିକାରୀ ପ୍ରଭାତ ସାହୁ, ପୁରୁଷୋତ୍ତମପୁର ଏସ୍ଡିପିଓ ସୀମା ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏନେଇ ଏସ୍ପି ବ୍ରିଜେଶ କୁମାର ରାଏଙ୍କୁ ଅବଗତ କରାଯାଇଥିଲା। କର୍ତ୍ତବ୍ୟରତ ସରପଞ୍ଚଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଗଞ୍ଜାମ ଏସପି ସମ୍ପୃକ୍ତ କନଷ୍ଟେବଳ ଅଶୋକ ମଲ୍ଲିକଙ୍କୁ ନିଲମ୍ବିତ କରିବା ସହ ସବ୍ ଇନ୍ସପେକ୍ଟର ଅର୍ଜୁନ କହଁରଙ୍କୁ କବିସୂର୍ୟ୍ୟନଗର ଥାନାରୁ ଜିଲା ମୁଖ୍ୟାଳୟକୁ ବଦଳି ଆଦେଶ ଦେଇଥିଲେ । ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Related posts

ଝାଡ଼ାବାନ୍ତିରେ ଗଲାଣି ୬ ଜଣଙ୍କ ଜୀବନ

mahabharatanews

ସରିଲା ସହିଦ ସପ୍ତାହ; ବସ୍‌ ସେବା ସ୍ବାଭାବିକ

mahabharatanews

କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ସହାୟତା

mahabharatanews