ଭୁବନେଶ୍ୱର/ଶିଳାସ୍ମିତା ରାୟ: ସମ୍ପ୍ରତି ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଲୋକ ଏପରି କି ନେତା ମନ୍ତ୍ରୀ ସମସ୍ତଙ୍କୁ ଘାରିଛି ଏକ୍ସକ୍ଲୁସିଭ ଫୋବିଆ । କୌଣସି ଘଟଣକୁ ପ୍ରଥମେ ଉପସ୍ଥାପନ କରିବାକୁୁ ନେଇ ପ୍ରତିଯୋଗିତା । ଗଣମାଧ୍ୟମ ଘଟଣାକୁ ଏକ୍ସକ୍ଲୁସିଭ ମାରି ପରିବେଷଣ କରୁଥିବା ବେଳେ ଏବେ ନେତା ମନ୍ତ୍ରୀ ମଧ୍ୟ ଏଥିରୁ ବାଦ ପଡୁ ନାହାନ୍ତି । ଫଳରେ ଏମିତି ତରବରିଆ ଭାବେ ଏହି ପବ୍ଲିକ ଫିଗରଙ୍କ ପ୍ରତିକ୍ରିୟା ପାଇଁ ସେମାନଙ୍କୁ ହେବାକୁ ହେଉଛି ବଡ ହଟହଟା । ଏଇ ଯେମିତି ଘଟିଛି ମନ୍ତ୍ରୀ ପ୍ରତାପ ଜେନାଙ୍କ କ୍ଷେତ୍ରରେ । ତାଙ୍କ ଏକ ଟ୍ୱିଟକୁ ନେଇ ପ୍ରତି ଟ୍ୱିଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଏକ ଟ୍ୱିଟ: ବାଲେଶ୍ୱର ଉପନିର୍ବାଚନ ପ୍ରଚାର ସମୟରେ ହଠାତ୍ ହୃଦ୍ଘାତରେ ଆମ ପ୍ରିୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅକାଳ ବିୟୋଗ । ଏହି ଖବର ମୋତେ ମର୍ମାହତ କରିଛି । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି । ଓଁ ଶାନ୍ତି । ଏହା ଦେଖି ଏକ ଶକ୍ତ ଧକ୍କା ଲାଗିଥିଲା ଅନେକଙ୍କୁ । ଗୋଟିଏ ଦିନରେ ରାଜ୍ୟ ଆଗ ପଛ ହୋଇ ଦୁଇ ତୁଙ୍ଗ ନେତାଙ୍କୁ ହରାଇଲା । ଦୁଃଖରେ ମନ ଭାରି ହୋଇଗଲା । କେତେ ସୁନ୍ଦର ଲୋକ ଥିଲେ ମନ୍ତ୍ରୀ । କିଛି ସମୟ ପୂର୍ବରୁ ସେ ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ଅବର୍ତ୍ତମାନକୁ ନେଇ ଶୋକ ପ୍ରକାଶ କରିଥିଲେ ଅଥଚ ସେ ଚାଲିଗଲେ । ଅନେକଙ୍କୁ ଏହି ଦୁଇ ଟ୍ୱିଟ ବୁଝା ପଡିବା ବେଳକୁ ମନରେ ଅନେକ ଆନ୍ଦୋଳନ । ଏ ବର୍ଷଟା ଏକ ଅମଙ୍ଗଳିଆ ବର୍ଷ । ରାଜ୍ୟ କେତେ ଭଲ ଓ ବଡବଡ ବ୍ୟକ୍ତିତ୍ୱଙ୍କୁ ହରାଇଲାଣି । ଇତ୍ୟାଦି । ପ୍ରତାପଙ୍କ ମୃତ୍ୟୁକୁ ନେଇ ଖବର ସଂଗ୍ରହ ବେଳକୁ ଜଣାପଡିଲା, ଏସସବୁ ହେଉଛି ଏକ୍ସକ୍ଲୁସିଭ ଫୋବିଆର ଫଳ ।
ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ସେ ବର୍ତ୍ତମାନ ଚିକିତ୍ସିତ ଅଛନ୍ତି । କିନ୍ତୁ କୌଣସି ସୂତ୍ରରୁ ମନ୍ତ୍ରୀ ଖବର ପାଇଲେ ସମୀରଙ୍କ ନିଧନ ହୋଇଛି । ଖବର ପାଇ କାଳ ବିଳମ୍ବ ନ କରି ମନ୍ତ୍ରୀ ଟ୍ୱିଟରରେ ଶ୍ରୀ ଦେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଦେଲେ । ଏହା କଟକ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମଧ୍ୟ ଉଲ୍ଲେଖ କରିବାକୁ ଭୁଲିଲେ ନାହିଁ । ଏହା ଦେଖି ବିଜେପି କେମିତି ସମ୍ଭଳା ପଡିବ । ସଙ୍ଗେସଙ୍ଗେ ଆଉ ଏକ ଟ୍ୱିଟ ଆସିଲା, ଯେଉଁଥିରେ ପ୍ରତାପ ଜେନାଙ୍କ ଅକାଳ ବିୟୋଗକୁ ନେଇ ଶୋକ ପ୍ରକାଶ ସହ ସମାନ ଭାବେ ଭାବର ପରିପ୍ରକାଶ କରାଗଲା । ଏହା ଦେଖି ପ୍ରଥମେ ତ ସମସ୍ତେ ହକ୍କା ବକ୍କା ରହିଗଲେ । ରାଜ୍ୟ ଗୋଟିଏ ଦିନରେ ଦୁଇ ଦୁଇ ତୁଙ୍ଗ ନେତାକୁ ହରାଇଲା ମନ ଆନ୍ଦୋଳିତ ହେଲା । କିନ୍ତୁ ଖବର ନେବାରୁ ଜଣାପଡିଲା ଉଭୟ ଜୀବିତ ଓ ସୁସ୍ଥ ।
ପ୍ରତାପ ଜଣେ ମନ୍ତ୍ରୀ ହୋଇ ମଧ୍ୟ ସମୀର ଦେଙ୍କ ନିଧନ ଖବର ପାଇବା କ୍ଷଣି ସତ୍ୟାସତ୍ୟ ନ ବୁଝି ଟ୍ୱିଟ କରି ଏକ୍ସକ୍ଲୁସିଭ ଟ୍ୱିଟର କ୍ରେଡିଟ ହୁଏତ ନେବାକୁ ଚାହୁଁଥିଲେ ।ବିରୋଧୀଙ୍କ ପ୍ରତି ମଧ୍ୟ ତାଙ୍କ ମନରେ କେତେ ଅତ୍ମୀୟତା ରହିଛି ହୁଏତ ତାହା ଜଣାଇବାକୁ ଚାହୁଁଥିଲେ । କିନ୍ତୁ ସବୁ ଅଙ୍କ ଭୁଲ ହୋଇଗଲା । ନିର୍ବାଚନ ମଇଦାନରେ ବିଜେଡି ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଟ୍ୱିଟର ୱାରରେ ମଧ୍ୟ ଆମନା ସାମନା ହୋଇଗଲେ । ଏପରି କ୍ଷମତାଶାଳୀ ବ୍ୟକ୍ତମାନଙ୍କୁ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ କିଛି କରିବା ପୂର୍ବରୁ ଅତିକମରେ ତାର ସତ୍ୟାସତ୍ୟର ଯାଞ୍ଚ କରାଇନେବା ଉଚିତ । ମିଛ ଖବର ପରିବେଷଣ କରି ଓଟିଭି ଏବେ ହରଡ ଘଣାରେ । ତଥାପି ମନ୍ତ୍ରୀ କିଛି ଶିକ୍ଷା ଗ୍ରହଣ କଲେ ନାହିଁ ।
previous post
next post
