(ମହାଭାରତ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ଏନସି ୧୧ ନଂ ୱାର୍ଡରେ ଗୋଟିଏ ପରିବାରର ଜଣେ ବ୍ୟକ୍ତି ଦୀର୍ଘ ୪ ଦିନ ଧରି ନିଖୋଜ ରହିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକେ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି । ନିଖୋଜ ବ୍ୟକ୍ତି ଜଣକ ଏହି ୱାର୍ଡର ଜଗଦାନନ୍ଦ ମହାପାତ୍ର ବୋଲି ଜଣାପଡିଛି । ଦୀର୍ଘ ୪ ଦିିନ ଧରି ସେ ଘରକୁ ଫେରି ନଥିବାରୁ ତାଙ୍କୁ କେହି ଅପହରଣ କରିନେଇଥିବା ତାଙ୍କ ସ୍ତ୍ରୀ ସରିତା ମହାପାତ୍ର ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି ସୁରାକ ପାଇପାରିନାହିଁ । ଏଣେ ଜଗଦାନନ୍ଦଙ୍କ କୌଣସି ପତ୍ତା ମିଳୁ ନଥିବାରୁ ପରିବାର ଲୋକେ ଆତଙ୍କିତ ହୋଇଛନ୍ତି । ସୂଚନା ଅନୁଯାୟୀ, ଜଗଦାନନ୍ଦ ଗତ ୫ ତାରିଖ ଦିନ ତାଙ୍କର ନିଜ ଘର ବାଲେଶ୍ୱର ଜିଲ୍ଲା ପୁରୁଣା ଗାଁକୁ ଯାଇଥିଲେ । ସେଠାରୁ ବସ୍ ଯୋଗେ ଉଦଳା ଫେରିଥିଲେ । ଉଦଳା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ । ଅଳ୍ପ ସମୟ ପରେ ଘରେ ପହଞ୍ଚିବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ଘରେ ନ ପହଞ୍ଚିବାରୁ ତାଙ୍କୁ ଯୋଗାଯୋଗ କଲାବେଳେ ଫୋନ ସୁଇଚ୍ ଅଫ ଆସିଥିଲା । ବାରମ୍ବାର ଏପରି ହେବାରୁ ପରିବାର ଲୋକେ ଉଦଳା ବସଷ୍ଟାଣ୍ଡରେ ଆସି ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ନମିଳିବାରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ କେହି ଅପହରଣ କରିନେଇଥିବା ତାଙ୍କ ସ୍ତ୍ରୀ ଉଲ୍ଲେଖ କରିଛନ୍ତି । ତାଙ୍କ ବିବାହକୁ ବର୍ଷେ ପୁରି ନଥିବାରୁ ସ୍ତ୍ରୀ ସରିତା ସ୍ୱାମୀଙ୍କୁ ନପାଇ ଲୁହଭରା ଆଖି କୋହଭରା କଣ୍ଠରେ ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ଜମିବାଡି ଓ ଇନସ୍ୟୁରାନ୍ସ ଟଙ୍କା ପାଇଁ ଜଗଦାନନ୍ଦଙ୍କୁ ତାଙ୍କ ସାବତ ମାଆ ଅପହରଣ କରିନେଇଥିବା ତାଙ୍କ ପତ୍ନୀ ଓ ସମ୍ପର୍କିୟ ଅଭିଯୋଗ କରିଛନ୍ତି । ଜମିଜମାକୁ ନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବାରୁ ଜଗଦାନନ୍ଦଙ୍କ ସାବତ ମାଆ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଉଥିଲେ । ତେବେ ଅଭିଯୋଗ ଆସିବା ପରେ ଉଭୟ ରେମୁଣା ଓ ଉଦଳା ପୋଲିସ ତାଙ୍କ ସାବତ ମାଆଙ୍କୁ ପଚରାଉଚରା କରିଥିଲେ ମଧ୍ୟ କୌଣସି ସୁରାଗ ମିଳିପାରିନାହିଁ । ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ନିଖୋଜ ଜଗଦାନନ୍ଦଙ୍କ ପରିବାର ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।