(ମହାଭାରତ, ଜଳେଶ୍ୱର): ରବିବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏହାକୁ ଅଭିନବ ଢଙ୍ଗରେ ବେଟିଂ କାରବାର ଚାଲିଥିଲା । ହାର୍-ଜିତ୍କୁ ନେଇ ଅନଲାଇନ ପେମେଣ୍ଟ ଆପ୍ ଜରିଆରେ ଟଙ୍କା ଦେଣନେଣ ହୋଇଥିଲା । କ୍ରିକେଟ ମ୍ୟାଚକୁ ନେଇ ଚାଲିଥିବା ଏହି ବେଟିଂ ସମ୍ପର୍କରେ ପୋଲିସକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଖବର ପାଇ ଜଳେଶ୍ୱର ପୋଲିସ ସ୍ଥାନୀୟ ଗ୍ୟାରେଜ ବଜାରରେ ଚଢାଉ କରିଥିଲା । ବେଟିଂରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ରାସପୁର ଅଞ୍ଚଳର ଶେଖ ଅମିରୁଦ୍ଦିନ ବୋଲି ଜଣାପଡିଛି । ଫୋନ ପେ ଆପ୍ ଜରିଆରେ ଏହି ବେଟିଂ କାରବାର ଚାଲିଥିଲା ବୋଲି ପୋଲିସ ସୂଚନା ଦେଇଛି । ମ୍ୟାଚ୍ ଚାଲିଥିବା ବେଳେ ବେଟିଂରେ ଆଦାୟ ହୋଇଥିବା ୧ ଲକ୍ଷ ୩୦ ହଜାର ଟଙ୍କା ସମେତ ଏକ ମୋବାଇଲ ଫୋନ ପୋଲିସ ଅଭିଯୁକ୍ତ ଯୁବକ ନିକଟରୁ ଜବତ କରିଛି । ବେଟିଂ ବେଳେ ଯୁବକଙ୍କ ଫୋନ ପେ ଆକାଉଣ୍ଟକୁ ସବୁ ଟଙ୍କା ଆସୁଥିଲା । ତେବେ ଏନେଇ ପୋଲିସ ମାମଲା ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।