ଗୌହାଟି: ଆଜି ଦକ୍ଷିଣ ଆସାମରେ ହୋଇଥିବା ଭୂସ୍ଖଳନରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏହି ଘଟଣାରେ ଆହତ ହୋଇଥିବା ସୂଚନା ରହିଛି । ଆଜି ଦକ୍ଷିଣ ଆସାମରେ ତିନିଟି ପୃଥକ ପୃଥକ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଥିରେ ତିନି ଶିଶୁଙ୍କ ସମେତ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି।
ଅଧିକାରୀକ ସୂତ୍ରରୁ ପ୍ରକାଶ, ମୃତକଙ୍କ ମଧ୍ୟରୁ କାଚର ଏବଂ ହିଲାକାନ୍ଦିରେ ୭ ଜଣ ଲେଖାଁଏ ଏହି ଦୁର୍ଘଟଣାର ଶିକାର ହୋଇଥିବା ବେଳେ କରିମଗଞ୍ଜରୁ ୬ ଜଣ । କାଚର ଜିଲ୍ଲାର ଜୟପୁରରେ ତାଜିମ ଉଦ୍ଦିନ ଲସ୍କର ଏବଂ ତାଙ୍କର ତିନି ଝିଅ ଏବଂ ତିନି ପୁଅ ଏହି ଭୂସ୍ଖଳନ ଫଳରେ ଜୀବନ୍ତ ସମାଧି ନେଇଥିଲେ। ତେବେ, ପୁଲିସ ଲାସ୍କରଙ୍କ ପତ୍ନୀ ଏବଂ ଅନ୍ୟ ପୁଅକୁ ଗୁରୁତର ଅବସ୍ଥାରେ ଜୀବନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ନେଇଥିଲେ।
ସେହିପରି, ହାଇଲାକାଣ୍ଡି ଜିଲ୍ଲାର ଆଲଗାପୁରରେ ହୋଇଥିବା ଦ୍ୱିତୀୟ ଘଟଣାରେ ଦୁଇଟି ପରିବାରର ଚାରିଜଣ ମହିଳାଙ୍କ ସମେତ ଜଣେ ଶିଶୁର ମୃତ୍ୟୁ ଘଟିଛି । କରିମଗଞ୍ଜ ଜିଲ୍ଲାର କାଲିଗଞ୍ଜ ଅଞ୍ଚଳରେ ହୋଇଥିବା ତୃତୀୟ ଘଟଣାରେ ତିନିଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।
ଆସାମ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଫୋର୍ସର ଅନେକ ଟିମ୍, ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ୍ ମୃତଦେହ ସବୁକୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲା।
ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହ ପ୍ରଭାବିତ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଛନ୍ତି। ଏଥିସହ ପୀଡିତଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର କରିବାକୁ ସେ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
previous post
