ଭୁବନେଶ୍ୱର: ଓଡିଶାର ଶାସନ ଭାର ହାତକୁ ନେବାକୁ ଗତ ନିର୍ବାଚନରେ ସମସ୍ତ ପ୍ରୟାସ ସତ୍ତେ୍ୱ ବିଜେପି ପାଆନ୍ତାରୁ ବହୁ ଦୂରରେ ଥିଲା ଶାସନ ଗଦି । ନିକଟରେ ମଧ୍ୟ ହୋଇଥିବା ଦୁଇ ଉପ ନିର୍ବାଚନରେ ବାଲେଶ୍ୱର ଆସନ ଉପରେ ଆସ୍ଥା ରଖିଥିବା ବେଳେ ତାହା ମଧ୍ୟ ବିଜେଡି ଛଡାଇ ନେଲା । ଏବେ ଆସନ୍ତା ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସଜ ହେଉଛି ବିଜେପି । ଓଡିଶାର ଘରେ ଘରେ ପଦ୍ମ ଫୁଟାଇବାକୁ ବିଜେପି ରଖିଛି ଲକ୍ଷ୍ୟ । ସେଇଥି ପାଇଁ ଆଜି ବିଜେପିର ୬ଟି ପାର୍ଟି ଅଫିସ ଖୋଲା ଯାଇଛି ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢ଼େଙ୍କାନାଳରେ ।
ବିଜେପି ଫୋକସ୍ରେ ଏବେ ଓଡିଶା । ଏଥିନେଇ ବିଜେପି ଗୋଟିଏ ପରେ ଗୋଟିଏ ନୂଆ ରଣନୀତି ପ୍ରସ୍ତୁତ କରି ଚାଲିଛି । କିଛି ଦିନ ତଳେ ଦଳର ରାଜ୍ୟ ପ୍ରଭାରୀ ଭାବେ ଡି ପୁରେନ୍ଦରଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି । କୁହାଯାଉଛି, ରାଜ୍ୟର ମହିଳା ଭୋଟରଙ୍କୁ ପୁରେନ୍ଦରଶ୍ୱରୀଙ୍କ ଦ୍ୱାରା ଆକୃଷ୍ଟ କରାଯାଇପାରି । ଏହା ବ୍ୟତୀତ ରାଜ୍ୟରେ ଥିବା ତେଲୁଗୁ ତଥା ଦକ୍ଷିଣଭାରତୀୟଙ୍କୁ ବିଜେପି ନିଜ ଆଡକୁ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି । ତେବେ ଏସବୁ ନିରର୍ଥକ ହେବ ଯେ ପର୍ଯ୍ୟନ୍ତ ରାଜ୍ୟ ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିବ ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେନ୍ଦ୍ରୀୟ ନେତା ଦଳରେ ସାମିଲ କରିଥିଲେ ବହୁ କିଛି ଆଶା ନେଇ । ଅପରାଜିତାଙ୍କ ପରି ଜଣେ ଦକ୍ଷ, ନିର୍ଭୀକ ପ୍ରଶାସିକାଙ୍କ ବିଜେପିରେ ସାମିଲ କରାଯାଇଥିଲା ତାଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ଆକୃଷ୍ଟ କରିବାକୁ । ଯଦିିଓ ଅପରାଜିତା ତାଙ୍କ ନିର୍ବାଚନ କ୍ଷେତ୍ରରେ ବିଜୟ ହାସଲ କରିଛନ୍ତି, କିନ୍ତୁ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଗ୍ରହଣୀୟ ହୋଇ ପାରି ନାହାନ୍ତି । ରାଜ୍ୟ ବିଜେପିରେ ଆଦ୍ୟରୁ ପଦ ପଦବୀ ପାଇଁ ଲାଗି ରହିଛି ଟଣା ଓଟରା । ଏପରି ସମୟରେ ଅପରାଜିତାଙ୍କ ପ୍ରବେଶକୁ ନେଇ ପୁରୁଖା ନେତାଙ୍କ ମଧ୍ୟରେ ରହିଛି ଭୟ ଓ ପରଶ୍ରୀକାତରତା । ରାଜ୍ୟରେ ବିଜେପିର ବିଜୟ ବଦଳରେ ନେତାଙ୍କ ମଧ୍ୟରେ ଆତ୍ମକୈନ୍ଦିକ ରହି ଯାଉଛି ଲକ୍ଷ୍ୟ । ତେଣୁ ଅପରାଜିତାଙ୍କୁ ଦଳରେ ଏକ ପ୍ରକାର ଏକ ଘରକିଆ କରି ରଖାଯାଇଥିବା ପରି ମନେ ହେଉଛି । ଏପରି ସମୟରେ ପୁରନ୍ଦରଶ୍ୱରୀଙ୍କ ଦାୟିତ୍ୱ ଗ୍ରହଣ କେତେ ଦୂର ଦଳ ପାଇଁ ସହାୟକ ହେବ ତାହା ସମୟ କହିବ ।