ଠାବ ହେଲେ ଆର୍ଯ୍ୟପଲ୍ଲୀ ଗାଁର ୫ଜଣ ମତ୍ସ୍ୟଜୀବୀ । ୧୫ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରେ ସେମାନଙ୍କୁ ଠାବ କରାଯାଇଛି । ଏବେ ସମୁଦ୍ର ଅଶାନ୍ତ ଥିବା ଯୋଗୁଁ କୂଳରେ ପହଞ୍ଚି ପାରିନାହାନ୍ତି । ସମୁଦ୍ର ଭିତରେ ଆନ୍ଧ୍ର ମତ୍ସ୍ୟଜୀବୀ ମାନେ ନୋ ଫିସିଂ ଜୋନରେ ବେଆଇନ ଭାବେ ମାଛ ଧରୁଥିବାରୁ ଓଡ଼ିଶା ମତ୍ସ୍ୟଜୀବୀ ଏହାକୁ ବିରୋଧ କରିଥିଲେ l ଏହାକୁ ନେଇ ସମୁଦ୍ର ମଝିରେ ବଚସା ହୋଇଥିଲା l ଏହାପରେ ୫ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳି ନ ଥିଲା । ସେମାନଙ୍କୁ ଆନ୍ଧ୍ର ମାଛ ମାଫିଆମାନେ ଜବରଦସ୍ତ ନେଇ ଯାଇଥିବା ଜଣାପଡିଥିଲା ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଛତ୍ରପୁର ଆର୍ଯ୍ୟପଲ୍ଲୀ ଗାଁର ୧୯ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । ପ୍ରଥମେ ୯ ଜଣ ମତ୍ସ୍ୟଜୀବୀ ଫେରି ଆସିଥିଲେ । ଛତ୍ରପୁର ପୋଲିସ ଏସଡିପିଓ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୋଲିସ ଘଟଣା ଉପରେ ନଜର ରଖିଛନ୍ତି । ଛତ୍ରପୁର ଏସଡିପିଓ ଓ ସାମୁଦ୍ରିକ ଥାନା ଅଧିକାରୀ ଏ ନେଇ ଆନ୍ଧ୍ର ପୋଲିସ ସହ କଥା ହୋଇଥିଲେ । ପରେ ସେମାନଙ୍କୁ ଠାବ କରାଯାଇଥିବା ଜଣାଯାଇଛି ।
