(ନୂଆଦିଲ୍ଲୀ): ଦେଶରେ କୋରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଭୂତାଣୁ ଏବେ ବ୍ୟାପିବା ଫଳରେ ଦେଶବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏସବୁ ଭିତରେ ଲୋକଙ୍କୁ କୌଣସି ପ୍ରକାରର ଆତଙ୍କିତ ନହେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଭାରତରେ ଏଯାଏ ୨୯ ଜଣ ଲୋକ ଆକ୍ରାନ୍ତ ହୋଇସାରିଲେଣି ବୋଲି ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । କୋରୋନାର ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ନଜର ରଖିଥିବା ସେ କହିଛନ୍ତି ।
କୋରୋନା ପାଇଁ ସ୍ଥିତି ପରଖିବାକୁ ମନ୍ତ୍ରୀମାନଙ୍କର ଏକ କମିଟି ଗଠନ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ୨୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେରଳରେ ଚିହ୍ନଟ ହୋଇଥିବା ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏପରିକି ମନ୍ତ୍ରୀ ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାଜ୍ୟସଭାରେ ବିବୃତି ଦେଇ କହିଛନ୍ତି । ଏହି ଭୟଙ୍କର ଭୂତାଣୁର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରସ୍ତୁତି ଅରମ୍ଭ କରିବାକୁ କହିଥିଲା । ଏହା ପୂର୍ବରୁ ଗତ ଜାନୁଆରୀ ୧୭ ତାରିଖରୁ ଭାରତ ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା ଆରମ୍ଭ କରିସାରିଛନ୍ତି । ମାର୍ଚ୍ଚ ୪ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୬ ଲକ୍ଷ ୧୧ ହଜାର ୧୭୬ ଜଣଙ୍କୁ ସ୍କ୍ରିନିଂ କରାଯାଇଛି । ସେହିପରି ୨୮ ହଜାର ୫୨୯ ଜଣଙ୍କୁ କମ୍ୟୁନିଟି ସର୍ଭେଲାନ୍ସକୁ ଅଣାଯାଇ ସେମାନଙ୍କ ଯାଞ୍ଚ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ବିଦେଶ ଯାତ୍ରାକୁ ନେଇ ବିଜ୍ଞପ୍ତି ଜାରି କରାଯିବା ସହ ଏକାଧିକ ସଂକ୍ରମିତ ରାଷ୍ଟ୍ରରୁ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ଭିସାକୁ ରଦ୍ଧ କରାଯାଇଛି । ତେବେ ସରକାରଙ୍କୁ ଏବେ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । କୋରୋନା ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଇରାନରେ ଫସିଥିବା ଭାରତୀୟ ଛାତ୍ର ଓ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ଏହା ବ୍ୟତୀତ ପ୍ରତି ରାଜ୍ୟର ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି । ରାଜ୍ୟ ଗୁଡିକରେ ଥିବା ସ୍କୁଲ ଗୁଡିକର କର୍ତ୍ତୃପକ୍ଷଙ୍କୁ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।
