ଓଡିଶା

ଅବ୍ୟବସ୍ଥା ଘେରରେ ବିଷ୍ଣୁପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଗତକାଲି ଆକସ୍ମିକ ଭାବେ ଝଡ଼ ବର୍ଷା ହେବା ଯୋଗୁଁ ବିଷ୍ଣୁପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଆଜବେଷ୍ଟ ଉଡ଼ିବା ସହ ଏଥିରେ କାର୍ଯ୍ୟାଳୟର ଏକାଧିକ କର୍ମଚାରୀ ଓ ଲୋକେ ଆହତ ହୋଇଥିବାର ଜଣାଯାଇଛି । ଏହାଦ୍ୱାରା ବ୍ୟାପକ ସରକାରୀ କାଗଜପତ୍ର ନଷ୍ଟ ହୋଇଛି । ବ୍ରିଟିଶ ଅମଳରୁ ନିର୍ମିତ ବିଷ୍ଣୁପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା । ସେତେବେଳେ ଏହି କାର୍ଯ୍ୟାଳୟକୁ କଚେରୀ କୁହାଯାଉଥିଲା । ଏହି କାର୍ଯ୍ୟାଳୟ ଉପରେ ସ୍ଥାନୀୟ ଅସୁରେଶ୍ୱର, କଟିକଟା, କେଣ୍ଟାଳୋ ଇତ୍ୟାଦି ୩ଟି ଗ୍ରାମ ପଞ୍ଚାୟତର ୧୮ଟି ରାଜସ୍ୱ ଗ୍ରାମର ଲୋକେ ବିଭିନ୍ନ କାର୍ଯ୍ୟ ନିମନ୍ତେ ନିର୍ଭର କରିଥାନ୍ତି । ଦୀର୍ଘଦିନ ହେଲା ଏହି କାର୍ଯ୍ୟାଳୟଟି ବିପଦସଂକୁଳ ଅବସ୍ଥାରେ ରହିଛି । ଗୃହର କାନ୍ଥ ଫାଟି ଆଁ କରିଛି । ଗୃହର ଆଜବେଷ୍ଟଗୁଡ଼ିକ ଭାଙ୍ଗି ରୁଜି ଯାଇଛି । ଟିକିଏ ବର୍ଷା ହେଲେ କାର୍ଯ୍ୟାଳୟ ଗୃହ ପାଣିରେ ଲହଡ଼ି ଖେଳୁଛି । ବର୍ଷା ହେତୁ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଉଛି । ଏହି ବିପଦସଂକୁଳ ଗୃହ କେତେବେଳେ ନିରୀହ କର୍ମଚାରୀ ଓ ସାଧାରଣ ଲୋକଙ୍କ ଜୀବନ ଦୀପକୁ ଲିଭାଇଦେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏହି କାର୍ଯ୍ୟାଳୟର ପାଚେରୀ ନଥିବା ହେତୁ ବହୁ ସମୟରେ କାର୍ଯ୍ୟାଳୟ ପରିସର ଅସାମାଜିକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି । ଏପରିକି କାର୍ଯ୍ୟାଳୟର ପରିସ୍ରାଗାର ଓ ପାଇଖାନା ନର୍କକୁଣ୍ଡରେ ପରିଣତ ହୋଇଛି । ପରିସର ସଫା ସୁତୁରା କରାଯିବା ନଯିବା ହେତୁ ଅଳିଆ ଆବର୍ଜନା ଓ ଅନାବନା ଗଛରେ ଭର୍ତ୍ତିହୋଇଯାଇଛି । ବହୁ ସମୟରେ ଏହି ସ୍ଥାନରୁ ବିଷଧର ସର୍ପ ବାହାରୁଥିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଭାବେ ଏହି କାର୍ଯ୍ୟାଳୟରେ ୫ଜଣ କର୍ମଚାରୀ ରହିବାର ନିୟମ ରହିଥିଲା ବେଳେ ଦୀର୍ଘଦିନ ହେଲା ମାତ୍ର ୨ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲୁଥିବାର ଅଭିଯୋଗ ହୋଇଛି । କର୍ମଚାରୀ ଅଭାବରୁ ସରକାରୀ କାର୍ଯ୍ୟ ଠିକ୍ ଭାବେ ହୋଇପାରୁନାହିଁ । ଲୋକେ ବାରମ୍ବାର କାର୍ଯ୍ୟାଳୟକ ଆସି ନିରାଶରେ ଫେରିବାକୁ ବାଧ୍ୟ ହେଉଥିବାର ଅଭିଯୋଗ ହୋଇଛି । ଏହି କାର୍ଯ୍ୟାଳୟର ବିଭିନ୍ନ ସମସ୍ୟାକୁ ସମାଧାନ କରାଯିବା ନିମନ୍ତେ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କେହିହେଲେ କର୍ଣ୍ଣପାତ କରୁନଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ଗତ ସାମୁଦ୍ରିକ ବାତ୍ୟା ଫଣି ଦ୍ୱାରା ଏହି କାର୍ଯ୍ୟାଳୟର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ବିପଦ ସଂକୁଳ ଅବସ୍ଥାରେ ରହିଥିବା ଏହି ଗୃହକୁ ତୁରନ୍ତ ପୁନଃ ନିର୍ମାଣ କରାଯିବା ନିମନ୍ତେ ଅସୁରେଶ୍ୱର ସରପଞ୍ଚ ମହେଶ୍ୱର ବାରିକ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ବୈଠକରେ ପ୍ରସ୍ତାବ ଆଗତ କରିବା ସହ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳସ୍ୱରୂପ ସୋମବାର ଦିନ ଅପରାହ୍ନରେ ଏହି ଅଞ୍ଚଳରେ ଆକସ୍ମିକ ଭାବେ ଝଡ଼ , ତୋଫାନ ହେବା ଯୋଗୁଁ କାର୍ଯ୍ୟାଳୟର ଆଜବେଷ୍ଟ ଗୁଡ଼ିକ ଭାଙ୍ଗିଯାଇଥିଲା । ଏହି ଭଙ୍ଗା ଆଜବେଷ୍ଟ ଗୁଡ଼ିକ କର୍ମଚାରୀ ତଥା ପାଉତି କାଟିବା ନିମନ୍ତେ ଆସିଥିବା ଲୋକଙ୍କ ଉପରେ ପଡ଼ିଥିଲା । ଏଥିରେ ଅଫିସର କର୍ମଚାରୀ ଦିଲ୍ଲୀପ ସାମଲଙ୍କ ସମେତ ସ୍ଥାନୀୟ ଅଞ୍ଚଳର କେତେକ ଲୋକେ ଆହତ ହୋଇ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ଏହି ଝଡ଼ ବର୍ଷାରେ ଅଫିସର କମ୍ପ୍ୟୁଟର ସମେତ ବହୁ ଦରକାରୀ ସରକାରୀ କାଗଜପତ୍ର ସମ୍ପୂର୍ଣ୍ଣ ପାଣିରେ ଭିଜିଯାଇ ନଷ୍ଟ ହୋଇଯାଇଛି । କାର୍ଯ୍ୟାଳୟ ପାଣିରେ ଭାସୁଛି । ପ୍ରଶାସନ ତରଫରୁ ତୁରନ୍ତ ଏହି କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ କରାଯିବା ସହ ଖାଲିଥିବା ୩ଟି ପଦବୀ ପୂରଣ କରାଯିବାକୁ ସରପଞ୍ଚ ମହେଶ୍ୱର ବାରିକ , ରାଜକିଶୋର ସିଂ ପ୍ରମୁଖ ଦୃଢ ଦାବି କରିଛନ୍ତି । ନଚେତ୍ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ । ଏହାର କୁପରିଣାମ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ସରପଞ୍ଚ ଶ୍ରୀ ବାରିକ ଚେତାବନୀ ଦେଇଛନ୍ତି ।

Related posts

ଦୁଇ ଟ୍ରକ ମଝିରେ ଚାଲିଗଲା ସ୍ୱାମୀ-ସ୍ତ୍ରୀ ଙ୍କ ଜୀବନ

mahabharatanews

ଟ୍ରେନରେ ଜନ୍ମ ନେଲା ପୁତ୍ର ସନ୍ତାନ

mahabharatanews

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଗୋଷ୍ଠି ବିବାଦ

mahabharatanews