ଆମେରିକାରେ ଗୋଟିଏ ପରେ ଗୋଟିଏ ଯାନ୍ତ୍ରିକ ତ୍ରୁଟି ସରକାର ଓ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ମାଇକ୍ରୋସଫ୍ଟରେ ବିଭ୍ରାଟ ଯୋଗୁଁ ବିଶ୍ୱର ଅନେକ କମ୍ପାନିର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ବ୍ୟାଙ୍କିଂ ସେବା ଓ ୟୁନାଇଟେଡ୍ ଏୟାରଲାଇନ୍ସର ନେଟୱାର୍କରେ ମଧ୍ୟ ସମସ୍ୟା ଦେଖାଦେଇଛି। ଏହା ପୂର୍ବରୁ ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ର ଟ୍ରାଫିକ୍ ନିୟନ୍ତ୍ରଣ ନେଟୱାର୍କରେ ତ୍ରୁଟି ଯୋଗୁଁ ଦୁଇ ଦିନ ଧରି ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା।
ସଦ୍ୟ ବ୍ୟାଙ୍କିଂ ବିଭ୍ରାଟ ଯୋଗୁଁ ଜେପିମୋର୍ଗାନ୍ ଚେସ୍ ସମେତ ବ୍ୟାଙ୍କ ଅଫ୍ ଆମେରିକା, ୱେଲ୍ସ ଫାର୍ଗୋ ଓ ୟୁଏସ୍ ବ୍ୟାଙ୍କର ଗ୍ରାହକମାନେ ଅନଲାଇନ୍ ସେବା ପାଇବାରେ ଅସୁବିଧା ଭୋଗିଛନ୍ତି। ଆକାଉଣ୍ଟ ଖୋଲିବା, ବାଲାନ୍ସ ଯାଞ୍ଚ ଓ ଟଙ୍କା କାରବାର ଭଳି ସେବା ବାଧାପ୍ରାପ୍ତ ହୋଇଛି। ଚେସ୍ ଆପ୍ରେ ମଧ୍ୟ କିଛି ସେବା ଅସ୍ଥାୟୀ ଭାବେ ଉପଲବ୍ଧ ନଥିବା ବାର୍ତ୍ତା ଗ୍ରାହକଙ୍କୁ ମିଳିଛି।
ଚେସ୍ ପକ୍ଷରୁ ସୋସିଆଲ୍ ମିଡିଆ ‘ଏକ୍ସ’ରେ କୁହାଯାଇଛି ଯେ, ଆଭ୍ୟନ୍ତରୀଣ ହାର୍ଡୱେର୍ ସିଷ୍ଟମ୍ରେ ସଫ୍ଟୱେର୍ ତ୍ରୁଟି ଯୋଗୁଁ କାରବାରରେ ବିଳମ୍ବ ହୋଇଥିଲା। ଏହା ସାଇବର ଆକ୍ରମଣ ନୁହେଁ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି।
ଏହି ବିଭ୍ରାଟରେ କୋଟି କୋଟି ଗ୍ରାହକ ପ୍ରଭାବିତ ହୋଇଥିବା ଦାବି କରାଯାଉଛି। ସୋସିଆଲ୍ ମିଡିଆରେ ଅନେକ ଗ୍ରାହକ ଏଟିଏମ୍ କାର୍ଡ ବ୍ୟବହାର, ଚେକ୍ କ୍ୟାସ୍ କରିବା ଓ ବ୍ୟାଙ୍କ ଶାଖାରେ କାରବାର କରିବାରେ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି।
