ଗୋଲାପ ସାହୁ/ କଳାହାଣ୍ଡି: ଗ୍ରାମାଞ୍ଚଳରେ ପାନୀୟଜଳକୁ ସୁନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାଇତ୍ୱହିନତା ପାଇଁ ଯୋଜନା ସବୁ ଫେଲ ମାରୁଛି। ଲୋକସଂଖ୍ୟାକୁ ଦୃଷ୍ଟି ରେ ରଖି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗାଁଗୁଡିକରେ ନିର୍ମାଣ ହେଉଛି ଦୀର୍ଘସ୍ଥାୟୀ ପାନୀୟଜଳ ପ୍ରକଳ୍ପ।ହେଲେ ଏଥିରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଳି ମନଭାବ ଓ ଲାଭଖୋର ବୃତ୍ତି ଲାଗି କେତେ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅଛି ତୋ କେତେ ଗୁଡିଏ ଅଳ୍ପ ସମୟ ମଧ୍ୟରେ ଅଚଳ ହୋଇପଡୁଛି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ। ବ୍ଲକରେ ୨ କୋଟି ୧୬ ଲକ୍ଷ ବ୍ୟୟ ଅଟକଳରେ ଅନେକ ଦିନ ହେଲା ରଣମାଲ, ଉଛୁଳା, ବନେର ଭଳି ୯ଟି ସ୍ଥାନରେ ୯ଟିପ୍ରକଳ୍ପ କାର୍ୟ୍ୟ ଅଧାପନ୍ତରିଆ ଭାବେ ପଡିରହିଛି। ସେପଟେ ଜନସାଧାରଣ ମୁନ୍ଦାଏ ଜଳ ପାଇଁ ଡ଼ହଲବିକଲ ହେଉଛନ୍ତି।
ଦୀର୍ଘ ଛଅ ବର୍ଷ ଧରି ରହିଥିବା ଜୟପାଟଣା ବ୍ଳକ ପାନୀୟଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମଲ୍ଲିକ କାହାକୁ ଖାତିର ନକରି ଠିକାଦାର ପୋଷା ନୀତିରେ କାର୍ୟ୍ୟ କରିଚାଲିଛନ୍ତି। ବାନେର,ବଡ଼କର୍ଲ୍ଲକୋଟ, ରଣମାଲ ଗ୍ରାମପଞ୍ଚାୟତଠାରେ ନିର୍ମାଣଧିନ ପାନୀୟଜଳ ପ୍ରକଳ୍ପ ଅତି ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଶୁଣିବାକୁ ନାରାଜ। ପ୍ରକଳ୍ପ କାର୍ୟ୍ୟ ସ୍ଥଳକୁ କନିଷ୍ଠ ଯନ୍ତ୍ରୀ ଆସୁନଥିବା ବେଳେ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡ ଆକାରରେ କାର୍ୟ୍ୟ ହେଉନଥିବା ଜଣାପଡିଛି। ଫଳରେ ଅଳ୍ପ ଦିନରେ ଇନଟେଙ୍କ ଜଳ ଦୂଷିତ ତଥା ଓଭରହେଡ ଟେଙ୍କ ଭୁଶୁଡିବାର ସମ୍ଭାବନା ରହିଛି ।ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ଵଛ ଶାସନ ଓ ଜନତାଙ୍କ ସେବାର ସପ୍ନ ଦେଖୁଛନ୍ତି ସେଠି ସରକାରୀ କର୍ମଚାରୀ ଯୋଜନାକୁ ବାଟବଣା କରୁଛନ୍ତି।ଏପରି ସମନ୍ୱୟ ଅଭାଵରେ ଜନତା ବଳି ପଡୁଛନ୍ତି।
