(ମହାଭାରତ/ବରୀ): ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାର ବସ୍ ,ଟ୍ରେନ ଏମିତିକି ନିଜର ଚାରିଚକିଆ ଯାନରେ ବାହାରକୁ ବାହାରିଲେ ସାମାଜିକ ଦୂରତା ନିୟମ ମାନିବାକୁ କହୁଛନ୍ତି । ଏହି ନିୟମ ନ ମାନିଲେ ସେଥିପାଇଁ ଜୋରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ରତଳାଙ୍ଗ ପଞ୍ଚାୟତ ନାଉପଣିଆ ନଦୀ ଘାଟରେ। ବରୀ ବିଂଝାରପୁରକୁ ସଂଯୋଗ କରୁଥିବା ନଦୀରେ ଡଙ୍ଗା ଚାଲୁଥିବା ବେଳେ ଅତି ବିପଦ ପୂର୍ଣ୍ଣ ଭାବରେ ଯାତ୍ରା କରୁଛନ୍ତି ଲୋକେ। ଗୋଟିଏ ପଟେ ଜିଲ୍ଲାରେ କରୋନା କାୟା ବିସ୍ତାର କରୁଥିବା ବେଳେ ଲୋକେ ଡଙ୍ଗାରେ ଦେହକୁ ଦେହ ଲାଗି ବିନା ମାସ୍କରେ ଡଙ୍ଗା ପାରି ହେଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ବରୀ ବ୍ଲକ ଉଦୟନାଥ ପୁର ପଞ୍ଚାୟତର କହରାଗଣ୍ଡରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଉକ୍ତ ଅଞ୍ଚଳକୁ ସିଲ କରିଥିଲେ। ମାତ୍ର ଉକ୍ତ ଡଙ୍ଗା ବୋହୁଥିବା ନାଉରି ଜଣକ ଉକ୍ତ ଗ୍ରାମର ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି। ନାଉରି ଜଣକ କିଭଳି ସିଲ ହୋଇଥିବା ଅଞ୍ଚଳରୁ ଆସି ବିନା ମାସ୍କରେ ଡଙ୍ଗା ବୋହୁଛନ୍ତି ତାହା ସବୁଠାରୁ ବଡ଼ ଆଶ୍ଚର୍ୟ୍ୟ କଥା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ମାତ୍ର କୋଭିଡ୍ ନିୟମକୁ ନ ମାନି ଅର୍ଥ ଲୋଭରେ ନାଉରିଆ ଡଙ୍ଗାର କ୍ଷମତା ଠାରୁ ଅଧିକ ଲୋକ ନେଉଥିବା ବେଳେ ଏକା ସଙ୍ଗେ ୧୪-୧୫ଟି ମଟର ସାଇକେଲ , ସାଇକେଲ, ଏବଂ ଗାଈ ମଧ୍ୟ ନେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
previous post