(ଗୋଲାପ ସାହୁ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅନ୍ତର୍ଗତ ଦୋଲକିବନ୍ଧ ଇଶ୍ୱର ଏଗ୍ରୋସେଳ ଦୋକାନ ମାଲିକଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । କଲମପୁର, କୋକସରା, ଜୟପାଟଣା ବ୍ଲକର ୪୪ଜଣ ଚାଷୀଙ୍କୁ ରିହାତି ମୂଲ୍ୟରେ ପାୱାର ଟିଲର ଯୋଗାଇ ଦେବା ପାଇଁ କହି ଜଣେ ଦୋକାନୀ ଜଣ ଜଣ ଠାରୁ ଲକ୍ଷାଧିକ ଟଙ୍କା ନେବା ପରେ ପାୱାର ଟିଳର ଯୋଗାଇ ପାରୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ପାୱାର ଟିଳର ପାଇବା ପାଇଁ ସଂପୃକ୍ତ ଦୋକାନୀଙ୍କ ଠାରେ ଚାଷୀମାନେ ଘରର ଅଳଙ୍କାର ବନ୍ଧକ ,ଧାର କରଜ ତଥା ଧାନ ବିକ୍ରି ଟଙ୍କାକୁ ନେଇ ଜମା କରିଥିଲେ। ସଂପୃକ୍ତ ଦୋକାନୀ ଟଙ୍କା ଜମା ନେଇ କେତେକଙ୍କୁ ହାତ ଲେଖା କାଗଜ ଖଣ୍ଡିଏ ଧରେଇ ଦେଇଥିବା ଜଣାପଡିଛି । ତଳିରୂଆ ଶେଷ ହେବାକୁ ବସିଲାଣି ଅଧଚ ସେମାନଙ୍କ ପାଖକୁ ପାୱାର ଟିଳର ପହଞ୍ଚି ପାରିନାହିଁ । ଏନେଇ ସେମାନେ ଦୋକାନ ମାଲିକ ବଲରାମ ସାହୁ, ମେନେଜର ଅଭିମନ୍ୟୁ ପ୍ରଧାନଙ୍କ ପାଖକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଦୋକାନ ସମ୍ଭୁଖରେ ପାଟି ତୁଣ୍ଡ କରିଥିଲେ ।ଖବର ପାଇ ବଡକୃଟ୍ରୁ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ଯାଇ ଚାଷୀ ମାନଙ୍କୁ ବୁଝାସୁଝା କରିବା ସହ ଦୋକାନ ମାଲିକ ଶ୍ରୀ ସାହୁଙ୍କ ସହ କଥାବାର୍ତ୍ତା କରି ଆସନ୍ତା ବୁଧବାର ଦିନ ପାୱାର ଟିଳର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଚାଷୀମାନେ ଫେରି ଯାଇ ବୁଧବାର ଦିନ କୁ ଅପେକ୍ଷା କରି ରହିଥିଲେ। ବୁଧବାର ଦିନ ସକାଳୁ ଦୋକାନକୁ ବନ୍ଦ କରି ମାଲିକ କୁଆଡେ ଚମ୍ପଟ ମାରିଥିବା ବେଳେ ଉତ୍ୟକ୍ତ ଚାଷୀମାନେ ଧାରଣାରେ ବସିଥିଲେ । ଏପରିକି ପାୱାର ଟିଳର ଦେବାକୁ ଦୋକାନ ମାଲିକଙ୍କ ସହ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହୋଇପାରୁନଥିଲା । ଖବର ଲେଖା ହେବା ପର୍ୟ୍ୟନ୍ତ ଚାଷୀ ମାନେ ଦୋକାନ ସମ୍ଭୁଖରେ ଧାରଣା ଦେଇ ବସି ରହିଥିଲେ । ଏନଇ ପୋଲିସର ପ୍ରତିକ୍ରିୟା ମଧ୍ୟ ମିଳିପାରିନଥିଲା । ତେବେ ପାୱାର ଟିଳର ନାଁରେ ଦୋକାନୀ ଜଣକ ଚାଷୀମାନଙ୍କୁ ଠକି ଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
next post
