ଓଡିଶା

୧୧ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନାବାନ୍ଧୁଥିବା ଲଘୁଚାପ ୯ ତାରିଖକୁ ଲଘୁଚାପରେ ପରିଣତ ହେବ ଏବଂ ୧୦ ତାରିଖରେ ଅବପାତର ରୂପ ନେବ । ଫଳରେ ୧୧ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହ ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ରହିଛନ୍ତି ସେମାନେ ୧୦ ତାରିଖ ରାତି ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ଜିଲ୍ଲାପାଳମାନଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଭାଗ ପକ୍ଷରୁ କୁହାଯାଇଛି, ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୧ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଡିପ୍ରେସନ୍‌ର ରୂପ ନେଇ ସ୍ଥଳଭାଗକୁ ପ୍ରବେଶ କରିବ। ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୦ ତାରିଖରୁ ପାଗ ବଦଳିବା ସହ ବର୍ଷା ହେବ। ୧୧ରୁ ବର୍ଷା ବଢ଼ିବ। ପ୍ରବଳରୁ ପ୍ରବଳତର ବର୍ଷା ହେବ। ୧୩ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ। ୧୧ ଓ ୧୨ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ଏବଂ ପୁରୀ, କନ୍ଧମାଳ, ଖୋର୍ଧା, ଜଗତ୍‌ସିଂହପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସୁରେନ୍ଦ୍ରନାଥ ପଶୁପାଳକ, ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଦାନା ବାନ୍ଧୁଥିବା ଚଳିତ ମାସର ଦ୍ୱିତୀୟ ଲଘୁଚାପ ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ୧୨ ତାରିଖ ରାତି କିମ୍ବା ୧୩ ତାରିଖ ସକାଳ ସୁଦ୍ଧା ବିଶାଖାପାଟଣାର ଦକ୍ଷିଣରେ ସ୍ଥଳଭାଗ ଛୁଇଁବା ସହ ଦୁର୍ବଳ ହେବ । ଏହାର ପ୍ରଭାବରେ ରାଜ୍ୟରେ ୧୦ ତାରିଖରୁ ପାଗ ବଦଳିବ। ୧୧ରୁ ୧୪ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଅଛି। ଉତ୍ତର ପଶ୍ଚିମ ଓଡ଼ିଶା ବ୍ୟତିତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ପୁରୀ, ଗଞ୍ଜାମ, ନୟାଗଡ଼ରେ ସବୁଠୁ ଅଧିକ ବର୍ଷା ହେବ। ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଢେଙ୍କାନାଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ। ପୁଣି ଅକ୍ଟୋବର ତୃତୀୟ ସପ୍ତାହରେ ସେଇ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାଦ୍ବାରା ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ ।

 

Related posts

ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ମାମଲା ରୁଜୁ

mahabharatanews

ବର୍ଷା ଆସିଲେ ମନେପଡୁଛି ଡ୍ରେନ୍ ସଫେଇ

mahabharatanews

ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

mahabharatanews