ଦିଲ୍ଲୀର ଚାନ୍ଦନୀ ଚୌକ୍ ଅଞ୍ଚଳରେ ବଡ଼ ଅଘଟଣ। ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୬ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି। ଚାୱଡ଼ି ବଜାର ମେଟ୍ରୋ ଷ୍ଟେସନ ନିକଟ ପାଇୱାଲାନ୍ ଅଞ୍ଚଳରେ ଆଜି ସକାଳ ପ୍ରାୟ ୯ଟା ୫୦ରେ ଏହି ଅଘଟଣ ଘଟିଛି।
ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅଧିକ କର୍ମଚାରୀ ଓ ଅଧିକାରୀଙ୍କୁ ପଠାଯାଇଥିଲା। ବର୍ତ୍ତମାନ ୬ଟି ଅଗ୍ନିଶମ ୟୁନିଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୯ଟାରୁ ୯ଟା ୩୦ ମଧ୍ୟରେ ହଠାତ୍ ଏକ ଜୋର୍ ଶବ୍ଦ ଶୁଣିବାକୁ ମିଳିଥିଲା। ବାହାରକୁ ଆସି ଦେଖିବାବେଳକୁ ନିକଟରେ ନିର୍ମାଣ ହେଉଥିବା କୋଠାଟି ଭୁଶୁଡ଼ି ପଡ଼ିଥିଲା। ସେଠାରେ ୩ରୁ ୪ ଜଣ ଶ୍ରମିକ କାମ କରୁଥିବା ଜଣେ ଆହତ ଶ୍ରମିକଙ୍କଠାରୁ ଜାଣିବାକୁ ପାଇଥିବା ସେମାନେ କହିଛନ୍ତି।
ସଂକୀର୍ଣ୍ଣ ରାସ୍ତା ଉଦ୍ଧାର କାର୍ଯ୍ୟରେ ବଡ଼ ବାଧକ ସାଜିଛି। ଘଟଣାସ୍ଥଳକୁ ଯିବା ରାସ୍ତା ମାତ୍ର ୪ ଫୁଟ ଚଉଡ଼ା ହୋଇଥିବାରୁ ବଡ଼ ମେସିନ୍ ଭିତରକୁ ଯାଇପାରୁନାହିଁ। ଫଳରେ ଉଦ୍ଧାରକାରୀ ଦଳ ମାନୁଆଲ୍ ଭାବେ ଭଗ୍ନାବଶେଷ ହଟାଇ ଖୋଜାଖୋଜି ଜାରି ରଖିଛନ୍ତି।
ଘଟଣାକୁ ନେଇ ରାଜନୈତିକ ତାତି
ଅନ୍ୟପଟେ, ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଛି ଆମ୍ ଆଦମୀ ପାର୍ଟି। ଦଳର ନେତା ସୌରଭ ଭରଦ୍ୱାଜ୍ ବିଲ୍ଡିଂ ସୁରକ୍ଷା ଅଡିଟ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ସୁରକ୍ଷା ଯାଞ୍ଚ ସତ୍ତ୍ୱେ କାହିଁକି କୋଠା ଭୁଶୁଡ଼ୁଛି ବୋଲି ସେ ପ୍ରଶ୍ନ କରିବା ସହ ବିଭିନ୍ନ ସରକାରୀ ଓ ନଗର ପ୍ରଶାସନିକ ବିଭାଗରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି। ତେବେ ଏହା ଆପ୍ ନେତାଙ୍କ ରାଜନୈତିକ ଅଭିଯୋଗ।
