ନୂଆଦିଲ୍ଳୀ: ଏକଦା ତୈଳ ରପ୍ତାନୀ କ୍ଷେତ୍ରରେ ଆଗୁଆ ଥିବା ଦକ୍ଷିଣ ଆମେରିକାର ଦେଶ ଭେନେଜୁଏଲା ଏବେ ସାଙ୍ଘାତିକ ଆର୍ଥିକ ସଂକଟ ଦେଇ ଗତି କରୁଛି। ସ୍ଥିତି ଏମିତି ହୋଇଛି କି ସେଠାକା ଲୋକେ ଟଙ୍କାର ବ୍ୟାଗ ଧରି ମାର୍କେଟ ଯାଉଛନ୍ତି । ଆଉ ଫେରୁଛନ୍ତି ହାତରେ ପରିବା ଧରି । ସେଠାର ଟଙ୍କାର ମୂଲ୍ୟ ହ୍ରାସ କାରଣରୁ ଏପରି ସ୍ଥିତି ଉପୁଜିଥିବା ବ୍ଲୁମବର୍ଗ ରିପୋର୍ଟରେ କୁହାଯାଇଛି ।
ବ୍ଲୁମବର୍ଗର ରିପୋର୍ଟ ଅନୁସାରେ , ସେଠାକାର ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସେଠାକାର ସରକାର ବଡ ନୋଟ ଛାପିବାକୁ ଯୋଜନା କରୁଛି । ସରକାର ୧ ଲକ୍ଷ ଟଙ୍କା ନୋଟ ଛାପିବାକୁ ଯୋଜନା କରୁଛି । ବୋଲିବର (ସେଠାକାର ଟଙ୍କା ) ପ୍ରସ୍ତୁତ କରିବା ଲାଗି ଭେନେଜୁଏଲା ସରକାର ଇଟାଲୀରୁ ୭୧ ଟନ ସିକ୍ୟୁରିଟି ପେପର ଆଣିଛି । ଦେଶର କଷ୍ଟମରୁ ଏ ସମ୍ପର୍କରେ ପ୍ରଥମେ ରିପୋର୍ଟ କରାଯାଇଥିଲା । ଭେନେଜୁଏଲା ଯଦି ୧ ଲକ୍ଷ ବୋଲିବର ନୋଟ ଛାପିବା ଆରମ୍ଭ କରେ, ତେବେ ଏହା ବିଶ୍ୱରେ ସବୁଠୁ ବଡ଼ ମୂଲ୍ୟ ବର୍ଗର ନୋଟ ହେବ । ୧ ଲକ୍ଷ ବୋଲିବର ମୂଲ୍ୟ ମାତ୍ର ୦ . ୨୩ ଆମେରିକୀୟ ଡଲାର । ଏତିକି ଟଙ୍କାରେ ଏଠାରେ କେବଳ ଦୁଇ କିଲୋ ଆଳୁ ବା ଅଧ କିଲୋ ଚାଉଳ କିଣି ହେବ ।
ଦେଶର ନାଗରିକଙ୍କୁ ସହାନୁଭୂତି ଦେବା ଲାଗି ସରକାର ମୋଟା ଅଙ୍କର ନୋଟ ଛାପିବାକୁ ନିଷ୍ପତ୍ତି ନେଇଛି । ଏହା ଫଳରେ ଲୋକଙ୍କୁ ଆଉ ଅଧିକ ସଂଖ୍ୟାରେ ନଗଦ ରାଶି ନେବାକୁ ପଡିବ ନାହିଁ । ଭେନେଜୁଏଲାରେ ଗତ ୭ ବର୍ଷ ହେଲା ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି । ତେଲ ରପ୍ତାନୀରୁ ଆସୁଥିବା ଅର୍ଥ ଶେଷ ହେବା ଦେଶରେ ଚାଲିଥିବା ମାନ୍ଦାବସ୍ଥାର ଅନ୍ୟତମ କାରଣ । ଆଶଙ୍କା କରାଯାଉଛି , ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଦେଶର ଅର୍ଥ ବ୍ୟବସ୍ଥା ଆଉ ୨୦ ପ୍ରତିଶତ କମିଯିବ ।