ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ୍ ତାଙ୍କ ଘରୁ ଉଠାଇ ନେଇଛି । ତାଙ୍କୁ ପୂର୍ବରୁ କୌଣସି ସମନ ବା କୋର୍ଟ ଅର୍ଡର ନ ଦେଇ ଆଜି ସକାଳ ସାଢ଼େ ୬ଟାରେ ମୁମ୍ବାଇ ପୁଲିସ୍ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ଘରରେ ପଶି ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇଥିବା ଜଣାପଡ଼ିଛି। ତାଙ୍କୁ ନେବାକୁ ପୁଲିସ ତାଙ୍କୁ ମାଡ ମାରିଥିବା ତଥା ତାଙ୍କ ଶାଶୁ, ସ୍ତ୍ରୀ ଓ ପୁଅଙ୍କୁ ମଧ୍ୟ ମାଡ ମରାଯାଇଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି । ଏପରି କି ତାଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ମିଶିବାକୁ ଦିଆଯାଇନଥିବା ଓ ଔଷଧ ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି ଅର୍ଣ୍ଣବ ।
ଅର୍ଣ୍ଣବଙ୍କୁ ଗିରଫ କରିବା ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନଥିଲା । କିନ୍ତୁ ପରେ ଗଣମାଧ୍ୟମରେ ଏହି ସମ୍ବାଦ ପ୍ରସାରଣ ହେବାରୁ ମୁମ୍ବାଇ ପୁଲିସ ପକ୍ଷରୁ ଅର୍ଣ୍ଣବଙ୍କ ଗିରଫଦାରିକୁ ନେଇ ସୂଚନା ଜାରି କରାଯାଇଛି । ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି। ୨୦୧୮ରେ ଅର୍ଣ୍ଣବଙ୍କ ଚ୍ୟାନେଲର ଆର୍କିଟେକଚର କାମ କରିଥିବା ଜଣେ ବ୍ୟକ୍ତିଙ୍କୁ ଦରମା ନ ମିଳିବା କାରଣରୁ ସେ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ । ସେମାନଙ୍କୁ ଆତ୍ମହତ୍ୟା କରିବାକୁ ଅର୍ଣ୍ଣବ ଉସକାଇଥିବା ନେଇ ମୃତ ଆର୍କିଟେକଙ୍କ ଝିଅ ଅଭିଯୋଗ କରିବା ସହ ମୁମ୍ବାଇ ପୁଲିସ ଏହାର ସଠିକ ତଦନ୍ତ କରୁ ନ ଥିବା ଅଭିଯୋଗ କରିଥିଲେ । ତେଣୁ ମେ’ ମାସରେ ଉକ୍ତ ମାମଲାକୁ ପୁଣି ଥରେ ରିଓପନ କରାଯାଇଛି। ଅର୍ଣ୍ଣବଙ୍କ ବ୍ୟତୀତ ରିପବ୍ଲିକ ଟିଭିର ଡେପୁଟି ନ୍ୟୁଜ ଏଡିଟର ସାଗରିକା ମିତ୍ର, ସିନିୟର ଆସୋସିଏଟ ଏଡିଟର ଓ ଆଙ୍କର ଶିବାନୀ ଗୁପ୍ତା, ଡେପୁଟି ଏଡିଟର ଶାୱନ ସେନ ଏବଂ ଏକ୍ଜ୍ୟୁକେଟିଭ ଏଡିଟର ନିରଞ୍ଜନ ନାରାୟଣସ୍ୱାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।
କିନ୍ତୁ ରାଜ୍ୟ ସରକାର ବିରୋଧରେ ରିପବ୍ଲିକ ଟିଭି ଖବର ପ୍ରସାରଣ କରିବା ସହ ସରକାରକୁ ସିଧାସଳଖ ଟାର୍ଗେଟ କରିବାକୁ ନେଇ ମୁମ୍ବାଇ ପୁଲିସ ଅର୍ଣ୍ଣବ ଓ ତାଙ୍କ କର୍ମଚର୍ତ୍ତାଙ୍କ ନାମରେ ମାମଲା ରୁଜୁ କରି ହଇରାଣ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
