ରାଜନୀତି

ବବିଙ୍କ ସ୍ୱତନ୍ତ୍ର ରଣନୀତିରେ ଚିତପଟାଙ୍ଗ ଷଡଯନ୍ତ୍ରକାରୀ

ଭୁବନେଶ୍ୱର: ରାଜ୍ୟରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରୁ ବିଜେଡି ବିଜୟ ହାସଲ କରିଛି । ତିର୍ତ୍ତୋଲ ଆସନ ବିଜେଡି ପାଇଁ ନିଶ୍ଚିତ ଥିବା ବେଳେ ବାଲେଶ୍ୱରକୁ ନେଇ ଗଣତି ଶେଷ ପର୍ଯ୍ୟନ୍ତ ସନ୍ଦେହ ଲାଗି ରହିଥିଲା । କିନ୍ତୁ ଶେଷରେ ବିଜେପି ମୁହଁରୁ ବିଜେଡି ଏହି ଆସନକୁ ଛଡାଇ ନେବାରେ ସକ୍ଷମ ହୋଇଛି । ବିନା ହାଇଟେକ ବସରେ, ବିନା ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ବିଜେଡି ବାଲେଶ୍ୱରରେ ବିଜୟ ପତାକା ଉଡାଇଛି । ଦଳରେ ଥିବା ଗୃହଭେଦୀଙ୍କ ସମସ୍ତ ଷଡଯନ୍ତ୍ର ବ୍ୟର୍ଥ ହୋଇଛି ଓ ବିଜେଡି ମଦନମୋହନ ଦତ୍ତଙ୍କ ପୁତ୍ରଠାରୁ ଛଡାଇନେଇଛି ଆସନ । ଏହି ଆଶାତୀତ ବିଜୟ ପରେ ବିଜୟର ଶ୍ରେୟ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ବା ବବି ଦାଶଙ୍କୁ ଯାଉଥିବା ବିଜେଡି ଶିବିରରେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି, ବବିଙ୍କ କଥା ରବୀନ୍ଦ୍ର ମାନିବାରୁ ବିଜେଡି ସଦର ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଛି । ପୁଣି ଥରେ ବବି ବିଜେଡିର ସଙ୍କଟ ମୋଚକ ପ୍ରମାଣିତ କରିଛନ୍ତି ।

ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ଜଣା, ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦଳରେ ବବି ବିରୋଧୀ ହାୱା ପ୍ରଖର ହୋଇଛି । ଏପରି କି ବାଲେଶ୍ୱର ଉପନିର୍ବାଚନରେ ବବିଙ୍କୁ ବିଭିନ୍ନ ଦିଗରୁ ପରୋକ୍ଷ ଆକ୍ରମଣ କରାଯାଇ ସୁପ୍ରିମୋଙ୍କ ନିକଟରେ ତାଙ୍କ ଭାବମୂର୍ତ୍ତି କ୍ଷୁନ୍ନ କରିବାକୁ ପ୍ରୟାସ କରାଯାଇଥିଲା ।  ବବିଙ୍କ ସମ୍ପର୍କୀୟ ହୋଇଥିବାରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଯାଇନଥିଲା । ଲକ୍ଷ୍ୟ ଥିଲା ରବୀନ୍ଦ୍ରଙ୍କ ସମର୍ଥକଙ୍କ ଦ୍ୱାରା ବିଜେଡି ବିରୋଧରେ ଭୋଟିଂ, ଯାହାକୁ ନେଇ ବବିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଛୋଟ କରାଇବା । ବବି ତଥା ରବୀନ୍ଦ୍ର ଦଳ ବିରୋଧୀ କାର୍ଯ୍ୟ କରିଥିବା ପ୍ରମାଣ କରିବା ।

ରବୀନ୍ଦ୍ର ତଥା ତାଙ୍କ ପତ୍ନୀଙ୍କୁ ଟିକେଟରୁ ବଞ୍ଚିତ କରିବା ପରେ ବିଜେଡି ଇତିହାସରେ ଦେଖା ଦେଇନଥିବା ଏକ ଘଟଣା । ରବୀନ୍ଦ୍ରଙ୍କ ସମର୍ଥକ ଖୋଲାଖୋଲି ବିଜେଡି ବିରୋଧରେ ଠିଆ ହୋଇଥିଲେ । ଟିକେଟ ବଣ୍ଟନରେ ଅନିୟମିତାର ଅଭିଯୋଗ କରିବା ସହ ବାଲେଶ୍ୱର ସଦର ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ ରୂପେ ଗ୍ରହଣ କରି ନ ଥିଲେ । ରବୀନ୍ଦ୍ରଙ୍କ ସମର୍ଥନରେ ବିଜେଡି ବିରୋଧରେ ନିଆଁ  ଜଳିଥିଲା । ସମର୍ଥକମାନେ ରବୀନ୍ଦ୍ରଙ୍କୁ ଟିକେଟ ଦେବା ଦାବିରେ ଅଡି ବସିବା ସହ ବାଲେଶ୍ୱର ବିଜେଡି ମୁଖ୍ୟାଳୟ ଘେରାଉ କରିଥିଲେ । ଏପରି କି ମୁଖ୍ୟମନ୍ତ୍ରୀ ମୁର୍ଦ୍ଦାବାତର ନାରା ମଧ୍ୟ ଗୁଞ୍ଜରିତ ହୋଇଥିଲା, ଯାହା ବିଜେଡି ଇତିହାସରେ ପ୍ରଥମ ଥିଲା । ବିଜେଡିର ନିଅଁ ପଡିବାଠୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି କେବେ ଦଳ ବା ସୁପ୍ରିମୋଙ୍କ ବିରୋଧରେ ମତ ରଖି ନ ଥିଲେ । କିନ୍ତୁ ଏଠାରେ ରବୀନ୍ଦ୍ରଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀ ମୁର୍ଦ୍ଦାବାତ ନାରା ଦେବା ସହ ନିର୍ବାଚନରେ ସ୍ୱରୂପଙ୍କ ସପକ୍ଷରେ ଭୋଟ ମାଗିବେ ନାହିଁ କି ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ଖୋଲାଖୋଲି କହିବାକୁ ପଛାଇ ନ ଥିଲେ । ପୁରା ଦୁଇ ଦିନ ପର୍ଯ୍ୟନ୍ତ ରବୀନ୍ଦ୍ରଙ୍କ ସମର୍ଥକମାନେ ଟିକେଟ ଦାବି କରି ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିଲେ । ବାଲେଶ୍ୱରରେ ଦଳ ବିରୋଧୀ ନିଆଁ ହୁତୁହୁତୁ ହୋଇ ଜଳିଥିଲାସେହି ନିଆଁ ଦଳର ସର୍ବନାଶ କରିବ ବୋଲି ବିଶେଷଜ୍ଞ ଆକଳନ କରିଥିଲେ । ବାଲେଶ୍ୱରରୁ ବିଜେଡି ପତନର ନିଅଁ ପଡିଥିବା ମଧ୍ୟ ମତ ପ୍ରକାଶ ପାଇଥିଲା ।

ରବୀନ୍ଦ୍ର ସେନାର ଏପରି ଖୋଲା ଚ୍ୟାଲେଞ୍ଜକୁ ନେଇ ସୁପ୍ରିମୋ ମଧ୍ୟ ହତବାକ୍ ରହିଯାଇଥିଲେ । ସେମିତି ସଦର ଆସନ ବିଜେପି ଗତ ନିର୍ବାଚନରେ ହାତେଇ ଥିବା ବେଳେ ମଦନ ମୋହନଙ୍କ ପୁତ୍ରଙ୍କୁ ସେଠାରେ ବିଜେପି ପ୍ରାର୍ଥୀ କରିବାକୁ ନେଇ ବିଜେଡି ଚିନ୍ତାଗ୍ରସ୍ତ । ତା ପରେ ପୁଣି ରବୀନ୍ଦ୍ର ସେନାର ବିରୋଧ, ବିଜେଡି ହାରର କାରଣ ହେବା ଏକପ୍ରକାର ନିଶ୍ଚିତ ହୋଇଥିଲା । ଏହାକୁ ନେଇ ମୁଖିଆଙ୍କ ମୁଣ୍ଡ ଚକର ଖାଇଥିଲା । କରୋନା ମହାମାରୀର ଆତଙ୍କକୁ ନେଇ ମୁଖିଆ ହାଇଟେକ ବସରେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରିବାର ବାଟ ନ ଥିବା ବେଳେ ରବୀନ୍ଦ୍ର ଓ ତାଙ୍କ ସମର୍ଥକଙ୍କ ଦଳ ବିରୋଧୀ ହାୱା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା ।

କିନ୍ତୁ ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରିବାକୁ ବବି ଭିଡିଥିଲେ ଅଣ୍ଟା । ଗୋଟିଏ ପଟେ ଦଳୀୟ ବିରୋଧୀଙ୍କ ଷଡଯନ୍ତ୍ର ଅନ୍ୟପଟେ ରବୀନ୍ଦ୍ରଙ୍କ ସମର୍ଥକ । ତେଣୁ ବବି ସମୟ ନଷ୍ଟ ନ କରି ବାଲେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେରବୀନ୍ଦ୍ରଙ୍କୁ ମନାଇବା କାମ କରିଥିଲେ । ବବିଙ୍କ ବହୁ ବୁଝାଶୁଝା ପରେ ଶେଷରେ ବବିଙ୍କ କଥା ମାନିଲେ ରବୀନ୍ଦ୍ର । ଉଭୟ ଶ୍ୱଶୁର ଜ୍ୱାଇଁ ସେମାନଙ୍କ ସମର୍ଥକଙ୍କୁ ଏକଜୁଟ କରି ବିଜେଡିର ପ୍ରକୃତ କର୍ମୀ ପରି କାର୍ଯ୍ୟ କରିବାକୁ କହିଥିଲେ । ଯାହା ଦଳକୁ ବିଜୟ ଦେବାରେ ସହାୟ ହେଲା ।

By Shilasmita Ray

Related posts

ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

mahabharatanews

ଆସନ୍ତା ୪ତାରିଖରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ

mahabharatanews

ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଆଦର୍ଶ ଯୁବ ବିଧାୟକ ସମ୍ମାନ

mahabharatanews