(ପୁରୀ) : ବୁଧବାର ଛାଡି ଗୁରୁବାର ମଧ୍ୟ ହୋଇପାରିଲାଣି ମହାପ୍ରଭୁଙ୍କ ବନକଲାଗି ନୀତି । ଏହାକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂମ୍ପୃକ୍ତ ସେବକ । ତେଣୁ ଗତକାଲି ମଧ୍ୟ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନାହିଁ ।
ସୂଚନାନୁଯାୟୀ , ଆସନ୍ତା ବୁଧବାକ ଏହି ନୀତି ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର ସେବାୟତ ସଂଞ୍ଜୟ ଦତ ମହାପାତ୍ର । ସେପଟେ କିଛି ଦିନରୁ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଆଜି ନୀତି ସବକମିଟିର ବୈଠକ ବସିବା ପାଇଁ ଯାଉଛି । ଏହି ବୈଠକରେ ବନକଲାଗି ନେଇ ବଡ଼ ନିଷ୍ପତି ଆସିବାର ସମ୍ଭାବନା ରହିଛି । ତେବେ ଆସନ୍ତା ବୁଧବାର ବନକଲାଗି କରିବା ପାଇଁ ଦତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ।