(ଭୁବନେଶ୍ୱର) : ରାଜ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଛି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଏହି ସଂସ୍କରଣକୁ ରାଜ୍ୟ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ଶ୍ରୀ ଅମାତ କହିଲେ, ୧୯୪୪ମସିହାରୁ ଏହି ଦୁଇଟି ପତ୍ରିକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରିଆସୁଛି । ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ । ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦିକା କସ୍ତୁରୀ ମହାପାତ୍ର କହିଥିଲେ, ଉଭୟ ପତ୍ରିକା ରାଜ୍ୟ ସରକାରଙ୍କ ମୁଖପତ୍ର ଭାବେ ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଇ ଆସୁଛି । ଏହି ପତ୍ରିକା ବେଶ୍ ପାଠକୀୟ ଆଦୃତି ଲାଭ କରିବା ସହିତ ରାଜ୍ୟବାସୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାରେ ୧୯ଟି ନିବନ୍ଧ ଓ ଓଡ଼ିଶା ରିଭ୍ୟୁରେ ୨୭ଟି ନିବନ୍ଧ ସ୍ଥାନ ପାଇଛି ବୋଲି ସେ ସୂଚନା ଦେଇଥିଲେ ।