ଆଜି ବସିଛି କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନରେ ବସିଛି । ବିକଶିତ କୋଟିଆ ନିର୍ମାଣ ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରିବ କମିଟି । କୋଟିଆରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ରୋଜଗାର ସୃଷ୍ଟି, ନିବେଶ ସୁଯୋଗ ସୃଷ୍ଟି, ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପର ଉନ୍ନତି, ରୋଜଗାରକ୍ଷମ ଶିକ୍ଷା ଓ ଦକ୍ଷତା ବିକାଶ, ଆବାସିକ ସ୍କୁଲ ଗୃହ ନିର୍ମାଣ, ଗରିବ କଲ୍ୟାଣ ଯୋଜନାରେ କୋଟିଆକୁ ସ୍ୱତନ୍ତ୍ର ପ୍ୟାକେଜ ଯୋଗାଇ ଦେବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ହେବ ଆଲୋଚନା । ସେହିପରି କୋଟିଆର ଭଲ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଭୁବନେଶ୍ବରରେ ଶିକ୍ଷାଦାନ ବ୍ୟବସ୍ଥା କରିବା ବ୍ୟବସ୍ଥା ଉପରେ ବି ହେବ ଆଲୋଚନା ।

ଏହା ଉନ୍ନତ ସ୍ୱାସ୍ଥ୍ୟ କେନ୍ଦ୍ର ଉପଯୁକ୍ତ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାପ ଙ୍କ ସମେତ ଜନ ଔଷଧି କେନ୍ଦ୍ର ନିର୍ମାଣ ଓ ମୋବାଇଲ ସ୍ୱାସ୍ଥ୍ୟ ସେବା ଯୋଗାଣ ଉପରେ ବି ହେବ ଆଲୋଚନା । କୋଟିଆ ସମେତ ଦେଓମାଳିକୁ ଉନ୍ନତ ମାନର ରାସ୍ତା ନିର୍ମାଣ ସହ ଦେଓମାଳି ପର୍ୟ୍ୟଟନ କ୍ଷେତ୍ରର ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ଼ ମ୍ୟାପ । ସେହିପରି ଗଞ୍ଜେଇପଦର ଓ ଦେଓମାଳିରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ରଥଯାତ୍ରା ଆୟୋଜନ ନେଇ ମଧ୍ୟ କରାଯିବ ଆଲୋଚନା । ପଟାଙ୍ଗି ଭଳି ଅଞ୍ଚଳରେ ବଜାର ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହ କୃଷି ଜାତ ଦ୍ରବ୍ୟକୁ ଅଧିକ ପରିମାଣରେ ବଜାର ପର୍ୟ୍ୟନ୍ତ ଆଣିବା ପାଇଁ ପ୍ରସ୍ତୁତ ହେବ ରୋଡ଼ ମ୍ୟାପ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୧ ଟି ବିବାଦୀୟ ଗ୍ରାମପୁଞ୍ଜକୁ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ମଧ୍ୟ ବୈଠକରେ ହେବ ଆଲୋଚନା । ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ ରେ ଚାଲିଥିବା କୋଟିଆ ସୀମା ବିବାଦ ର ଅଗ୍ରଗତି ଉପରେ ମଧ୍ୟ ବୈଠକରେ ହେବ ବିସ୍ତୃତ ଆଲୋଚନା ।
