ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ନୂଆଦିଲ୍ଲୀରୁ ବାହାରି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, ଅମର ପଟ୍ଟନାୟକ, ମନ୍ତ୍ରୀ ଉଷା ଦେବୀ, ସମୀରରଂଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ବିଧାୟକ ବିଷ୍ଣୁ ଚରଣ ସେଠୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ନେତା ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ସମୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗିନି ବଜାଇବା ଦୃଶ୍ୟ ବି ଦେଖିବାକୁ ମିଳିଛି।
ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବିମାନବନ୍ଦରରେ ଝୁମର ନାଚରେ କଳାକାରମାନେ ଝୁମି ଉଠିଛନ୍ତି। ବେକରେ ଦ୍ରୌପଦୀଙ୍କୁ ସ୍ୱାଗତମ୍ ର ପୋଷ୍ଟର ଲଗାଇ କଳାକାର ନାଚୁଥିବା ପରିଲକ୍ଷିତ ହେଉଛି। ଏହି ସମୟରେ ପାଇକ ନାଚ, ବାଘ ନାଚ ଓ ଘୋଡ଼ା ନାଚ ଭଳି ଓଡ଼ିଶାର ପାରମ୍ପରିକ ନୃତ୍ୟ ଦେଖିବାକୁ ମିଳିଛି। ଦ୍ରୌପଦୀ ମୁର୍ମୁଙ୍କୁ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ପାଛୋଟି ନେଇଛନ୍ତି ଉଭୟ ଦଳର ନେତା।ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନକୁ ଯିବେ ଦ୍ରୌପଦୀ ମୁର୍ମୁ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ବିଧାନସଭାରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ଦ୍ରୌପଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିର ସାଂସଦ ଓ ବିଧାୟକମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ହେଲେ କୌଣସି କଂଗ୍ରେସ ସାଂସଦ କି ବିଧାୟକ ଦ୍ରୌପଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ। ପୂର୍ବାହ୍ନ ୧୧ଟାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପୁଣି ରାଜ୍ୟ ଅତିଥି ଭବନକୁ ଯାଇ ବିଜେପି ନେତାମାନଙ୍କୁ ଭେଟିବେ। ତାପରେ ସେ ନବୀନ ନିବାସକୁ ଯାଇ ମଧ୍ୟାହ୍ନ ୧୨ଟା ୪୫ ମିନିଟ ସମୟରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ବର ଛାଡ଼ିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି।
