ଓଡିଶା

ବିଜେଡିରେ ସାଲିସକାରୀଙ୍କୁ ଦିଆଯାଉଛି ପ୍ରାଧାନ୍ୟ

ଭୁବନେଶ୍ୱର/ସୁର୍ଜିତ ଧଳ: ରାଜ୍ୟ ପାୱାର କରିଡରରେ ଏବେ ଦୁଇ ବିଜେଡି ନେତା ଅଚ୍ୟୁତ ସାମନ୍ତ ଓ ମାନସ ମଙ୍ଗରାଜଙ୍କ ଦବଦବାକୁ ନେଇ ଚର୍ଚ୍ଚା । ଦୁଇ ନେତା ନିଜକୁ ରାଜ୍ୟର ଦ୍ୱିତୀୟ କ୍ଷମତା କେନ୍ଦ୍ର କହି ବୁଲୁଥିବା ବେଳେ ଦଳୀୟ ପୁରୁଣା ନେତାମାନେ ମଧ୍ୟ ଏହି ଦୁଇ ନେତାଙ୍କ ଏପରି ସ୍ୱଳ୍ପ ସମୟରେ କଳେବର ବୃଦ୍ଧିକୁ ନେଇ ତାଜୁବ । ୨୦୧୮ ମାର୍ଚ୍ଚ ଓ ଏପ୍ରିଲରେ ଦଳରେ ସାମିଲ ହୋଇଥିଲେ ମଧ୍ୟ ମାତ୍ର ବର୍ଷ ଗୋଟିଏରେ ଏମାନେ ଅନ୍ୟ ପୁରୁଣା ନେତାଙ୍କୁ କ୍ଷମତାକେନ୍ଦ୍ର ନିକଟବର୍ତ୍ତୀ ହେବା ଦୌଡରେ ପଛରେ ପକାଇ ବାଜି ମାରି ନେଇଛନ୍ତି । ସେହି ୨୦୧୮ ମାର୍ଚ୍ଚରେ କଂଗ୍ରେସର ପୂର୍ବତନ ନେତା ତଥା ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ସେ ଦଳରେ କଣଠେଂସା ହୋଇ ପଡିରହିଛନ୍ତି । କିନ୍ତୁ ମହଙ୍ଗରାଜ ଓ ସାମନ୍ତ ତୃତୀୟ ମହଲାରେ ନିଜ ସ୍ଥିତି ଜାହିର କରିବାରେ ସକ୍ଷମ ହେବାକୁ ନେଇ ଚାଲିଛି ଚର୍ଚ୍ଚା ।

 

୨୦୧୮ରେ ତିନି ନେତା ମାତ୍ର କିଛି ଦିନ ଆଗ ପଛ ହୋଇ ବିଜେଡିରେ ସାମିଲ ହୋଇଥିଲେ । ଅଚ୍ୟୁତ ସାମନ୍ତ ଜଣେ ଶିକ୍ଷା ବ୍ୟବସାୟୀ ହୋଇଥିବା ବେଳେ ମାନସ ମଙ୍ଗରାଜ ମୂଳତଃ ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରେ କଂଗ୍ରେସରେ ମିଶିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେହିପରି ସୌମ୍ୟ ରଞ୍ଜନ ପଟ୍ଟନାୟକ କଂଗ୍ରେସରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଜଣେ ସାମ୍ବାଦିକ ଭାବେ ନିଜର ପରିଚୟ ସୃଷ୍ଟିକରିଥିଲେ । କଂଗ୍ରେସରୁ ୨୦୧୩ରୁ ବହିସ୍କୃତ ହେବା ପରେ ଆମ ଓଡିଶା ପରିବାର ନାମକ ଏକ ଦଳ ଗଠନ କରିଥିଲେ । ଏହି ୩ ନେତାଙ୍କ ସହ ସାମ୍ବାଦିକତା ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡିତ ରହିଛି । ପଟ୍ଟନାୟ ଓ ମଙ୍ଗରାଜ ସାମ୍ବାଦିକତା ସହ ପ୍ରତ୍ୟକ୍ଷ ଜଡିତ ଥିବା ବେଳେ ସାମନ୍ତଙ୍କର ଏକ ଗଣମାଧ୍ୟମ ସଂସ୍ଥା ରହିଛି । ଏହି ୩ ନେତା ବିଜେଡିରେ ସାମିଲ ହେବା ପରେ ଲୋକେ ଆଶା କରୁଥିଲେ  ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମର୍ଯ୍ୟଦା ବୃଦ୍ଧିହେବ । ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । କିନ୍ତୁ ସେପରି କିଛି ହେଲା ନାହିଁ । ନିର୍ବାଚନର ୧୪ ମାସ ପରେ ପଟ୍ଟନାୟକଙ୍କୁ ଦଳର ୯ ଉପ ସଭାପତିଙ୍କ ମଧ୍ୟରୁ ଜଣେ କରି କଳା ଓ ସଂସ୍କୃତି ବିଭାଗର ଲଲିପପ୍ ଧରାଇ ତୁଷ୍ଟକଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ସାମନ୍ତ କନ୍ଧମାଳ ସାଂସଦ ହେବା ସହ ଜାତୀୟ ମୁଖପାତ୍ର ଭାବେ ମନୋନୀତ ହୋଇଛନ୍ତି । ସେହିପରି ମାନସ ମଙ୍ଗରାଜଙ୍କୁ ଦଳର ସୁପ୍ରିମୋ ୨୦୧୯ସାଧାରଣ ନିର୍ବାଚନ ପୂର୍ବରୁ ଦଳର ମିଡିଆ ସେଲର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିଲେ । ଏଥିସହ ପରବର୍ତ୍ତୀ ସମୟରେ ତାଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି ।

ତିନି ନେତାଙ୍କ ମଧ୍ୟରେ ପଟ୍ଟନାୟକଙ୍କ ବାଗ୍ମିତା ନିକଟରେ ଅନ୍ୟ ଦୁଇ ନେତା କାଣିଚାଏ ମଧ୍ୟ ତୁଳନୀୟ ହୋଇ ନ ଥିଲେ ମଧ୍ୟ ଦଳ ତାଙ୍କୁ ପ୍ରାଧାନ୍ୟ ଦେଇନାହିଁ କିନ୍ତୁ ସାମନ୍ତ ଓ ମଙ୍ଗରାଜ ଏବେ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟର କ୍ଷମତାକେନ୍ଦ୍ର କୁହାଯାଉଥିବା ଭି କେ ପାଣ୍ଡିଆନଙ୍କ ନିକଟତମ ଓ ଖାସ ଲୋକ ପାଲଟିଛନ୍ତି । ଜ୍ଞାନ ଗରିମା ଶୂନ୍ୟ ସାମନ୍ତଙ୍କ ନାମରେ ଅଜସ୍ର ମାମଲା । ଭୁବନେଶ୍ୱରର ପଟିଆରେ ୧୦୦ ଏକର ସରକାରୀ ଜମି ହଡପ ସହ ବ୍ୟକ୍ତିଗତ ଜମି ହଡପ କରି ଶିକ୍ଷାନୁଷ୍ଠାନ ଓ ଆଦିବାସୀ ପିଲାଙ୍କୁ ମାଗଣା ଶିକ୍ଷାଦାନକୁ ଆୟୁଧ କରି ସମାଜ ସେବୀ ଭାବେ ପରିଚିତ ହେବା ପରେ ଏବେ ଦୁର୍ନୀତିଗ୍ରସ୍ତ ବିଜେଡିରେ ସାମିଲ ହୋଇଛନ୍ତି । ଜମି ହଡପ ଓ ଆଦିବାସୀ ପିଲାଙ୍କ ଶିକ୍ଷା ନାମରେ ଦେଶ ବିଦେଶରୁ ଆଣୁଥିବା କୋଟି କୋଟି ଟଙ୍କା ବଳରେ ଆଜି ସେ ଶାସକ ଦଳରେ ସର୍ବମୟ କର୍ତ୍ତା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ସାମନ୍ତଙ୍କ ପାଇଁ ଜମି ହରାଇଥିବା ବହୁ ଗରିବ ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରେ ସାମିଲ କରି ତାଙ୍କ କଳାସାମ୍ରାଜ୍ୟକୁ ଦେଉଛନ୍ତି ସୁରକ୍ଷା । ଏବେ ସେ ପାଲଟି ଯାଇଛନ୍ତି ତୃତୀୟ ମହଲାର ନମ୍ବର ୨ ବ୍ୟକ୍ତି ବିଶେଷ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ସାମ୍ବାଦିକତାରୁ ରାଜନୀତିରେ ପାଦଥାପି ଥିବା ମଙ୍ଗରାଜ ବିଜେଡିରେ ସାମିଲ ହେବା ଓ ଲୋକସମ୍ପର୍କ ବିଭାଗର ପରାମର୍ଶଦାତା ଭାର ନେବା ପରେ ସାମ୍ବାଦିକ ମହଲ ତଥା ବୁଦ୍ଧିଜୀବୀ ମହଲରେ ଖୁସୀର ଲହର ଦେଖିବାକୁ ମିଳିଥିଲା । ମଙ୍ଗରାଜ ଜଣେ ସାମ୍ବାଦିକ ହୋଇଥିବାରୁ ସେ ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକଙ୍କ ସମସ୍ୟା ଉତ୍ଥାପନ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବେ । ସେମାନଙ୍କ ସୁରକ୍ଷା ପାଇଁ ବିଦ୍ଧି ବ୍ୟବସ୍ଥା କରିବେ । କିନ୍ତୁ ଦେଖିବାକୁ ମିଳୁଛି, ଏବେ ମଙ୍ଗରାଜ କାମଳ ସାମ୍ବାଦିକତାକୁ ପ୍ରୋତ୍ସାହନ ଦେଉଛନ୍ତି । ଏକାଧିକ ଗଣମାଧ୍ୟମ ପ୍ରତିଷ୍ଠାନ ଖୋଲି ସେଥିରେ ସରକାର ସପକ୍ଷରେ ତଥା ଅର୍ଦ୍ଧସତ୍ୟ ଓ ମିଥ୍ୟା ଘଟଣାକ୍ରମକୁ ଉପସ୍ଥାପନ କରି ଲୋକଙ୍କୁ ଭ୍ରମିତ କରିବା କାର୍ଯ୍ୟରେ ରିତିମତ ନିୟୋଜିତ ଅଛନ୍ତି । ବିଭିନ୍ନ ସ୍ଥାନରେ ସତ୍ୟକୁ ଲୋକ ଲୋଚନକୁ ଆଣୁଥିବା ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ପଛରେ ତାଙ୍କ ହାତ ଥିବା ମଧ୍ୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସରକାର ତଥା ସରକାରୀ କଳ ପାଇଁ କାର୍ଯ୍ୟ କରି ସେ ତୃତୀୟ ମହଲାରେ ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଥିବା କୁହାଯାଉଛି ।

ଆହୁରି ମଧ୍ୟ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଶୁଣିବାକୁ ମିଳୁଛି କି, ଏହି ଦୁଇ ନେତା (ସାମନ୍ତ ଓ ମଙ୍ଗରାଜ) ତୃତୀୟ ମହଲାର ସର୍ବମୟ କର୍ତ୍ତା ପାଣ୍ଡିଆନଙ୍କ ଡାହଣ ଓ ବାମ ହାତ ସାଜିଛନ୍ତି । ଜଣେ ନିଜ ଅର୍ଥ ବଳରେ ପାଣ୍ଡିଆନଙ୍କ ବିଶ୍ୱାସଭାଜନ ହୋଇଥିବା ବେଳେ ଅନ୍ୟଜଣେ ରାଜ୍ୟ ସରକାରର ଦୁର୍ନୀତି, ବିଫଳତାକୁ ଲୁଚାଇବାରେ ସହାୟକ କାର୍ଯ୍ୟ କରି ନିକଟତର ହୋଇଥିବା କୁହାଯାଉଛି । ତେବେ ନିଜ ପତିଆର ଓ ବଡିମା ଗାନରେ ଉଭୟ ଏକୁ ଆରେକ ବୋଲି ଚର୍ଚ୍ଚା ହେଉଛି । ଉଭୟ ନିଜକୁ ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି ଆତ୍ମଘୋଷଣା କରି ଚାଲିଛନ୍ତି । ଏହି ଆତ୍ମଘୋଷଣାକୁ ନେଇ ଦଳୀୟ ନେତାଙ୍କ ମଧ୍ୟ ଦ୍ୱନ୍ଦ୍ୱ । ବାସ୍ତବରେ କିଏ ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚାଲିଛି କ୍ଷମତାର ଆକଳନ ।

Related posts

୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

mahabharatanews

ସାବଧାନ! କଟନୀ ଛଟନୀ କଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

mahabharatanews