କୋଲକାତା(ମହାଭାରତ): ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କ ସମେତ ୯ ଜଣ ଶିକ୍ଷକଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ପିଲା ଚୋରି କରି ବାହାରେ ବିକ୍ରି କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି ।
ଅଭିଯୋଗ ପରେ ୩ ଜଣ ଝିଅ ଏବଂ ୨ ଜଣ ପୁଅକୁ ଉଦ୍ଧାର କରିଛି ବାଙ୍କୁରା ପୋଲିସ । ପିଲାମାନଙ୍କର ବୟସ ପ୍ରାୟ ୬ରୁ ୮ ବର୍ଷ ହେବ ବୋଲି ଜଣାପଡିଛି । କେବଳ ସେତିକି ନୁହେଁ, ଏମାନଙ୍କ ନିକଟରୁ ଏକ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏହାପରେ ମାମଲାକୁ CID(Criminal Investigation Department) କୁ ହସ୍ତାନ୍ତର ହୋଇଛି । ଏନେଇ ବାଙ୍କୁରା ଏସପି ଧ୍ରୀତିମାନ ସରକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଗତ କିଛି ଦିନ ତଳେ ସ୍କୁଲର ପ୍ରିନ୍ସପାଲ କମଲ କୁମାର ରୋଜାରିଆ ଏବଂ ଶିକ୍ଷୟତ୍ରୀ ସୁଷମା ଶର୍ମା ୩ ଜଣ ଝିଅଙ୍କୁ ଏକ ଗାଡିରେ ଜୋର ଜବରଦସ୍ତ ନେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । କିନ୍ତୁ ପ୍ରିନ୍ସପାଲ ସେମାନଭ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଏନେଇ ବାଙ୍କୁରା ପୋଲିସ ନିକଟରେ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଘଟଣାଟିର ପର୍ଦ୍ଦଫାଶ ହୋଇଛି । ସେମାନଙ୍କର ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ଲିଙ୍କ ଥିବା ଜଣାପଡିଛି । ପୋଲିସ ପ୍ରାଥମିକ ତଦନ୍ତରୁ ଆଶାନୋଲ ଏବଂ ଦୁର୍ଗାପୁର ଅଞ୍ଚଳର ୫ ଜଣ ପିଲାଙ୍କୁ ପୋଲିସ୍ ଉଦ୍ଧାର କରିଛି । ସେମାନଭ୍କ ମଧ୍ୟରୁ ଜଣଙ୍କୁ ଅଢେଇ ଲକ୍ଷ ଟଙ୍କା ବିନିମୟରେ କିଣାଯାଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ତେବେ ସିଆଇଡି ଖୁବଶୀଘ୍ର ଏହି ଘଟଣାକୁ ହାତକୁ ନେବ ବୋଲି ଜଣାପଡିଛି ।
previous post
next post