ସିଜେପିର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୭ ଦିନ କାଳ ତିହାର ଜେଲରେ ବନ୍ଦୀ ଜୀବନ କାଟୁଥିବା ସୌରଭ ଓ ଆଶୁତୋଷଙ୍କୁ ଖଲାସ ନିର୍ଦ୍ଦେଶ ଦେଇଛନ୍ତି ସ୍ପେଶାଲ କାର୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ। ଯନ୍ତରମନ୍ତରରେ ତ୍ରିରଙ୍ଗା ଉଡ଼ାଇ ଉଭୟ ଗିରଫ ହୋଇଥିଲେ ।
ଗତକାଲି ଉଭୟଙ୍କ ହାଜତ ମିଆଦ ଶେଷ ହେଉଥିବାରୁ ସେମାନଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ପୁଲିସ୍ ଉଭୟଙ୍କୁ ଆଉ ୩ ଦିନ ପାଇଁ ତିହାର ଜେଲକୁ ପଠାଇବାକୁ ନିବେଦନ କରିଥିଲା। ଏହି ସମୟରେ ସିଜେପିର ଲିଗାଲ ଟିମ ବିରୋଧ କରିବା ସହ ସ୍ୟୁରିଟିଜ ମଧ୍ୟ ଦାଖଲ କରିଥିଲା। ଏହାକୁ ଦେଖିବା ପରେ ମାଜିଷ୍ଟ୍ରେଟ ପ୍ରଥମେ ରାୟ ସଂରକ୍ଷିତ ରଖିଥିଲେ ଓ ଏହାପରେ ଦୁଇ ନେତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଉଭୟ ଅକ୍ଟୋବର ୧୩ରେ ଆନ୍ଦୋଳନ ସ୍ଥଳ ମାନ୍ୟତା ହରାଇଥିବା ଯନ୍ତରମନ୍ତରରେ ଅନାଧିକୃତ ଭାବେ ପ୍ରବେଶ କରି ତ୍ରିରଙ୍ଗା ଉଡ଼ାଇବାରୁ ସେମାନଙ୍କୁ ପୁଲିସ୍ ଉଠାଇ ନେଇଥିଲା। ଏହାପରେ ଅକ୍ଟୋବର ୧୪ରେ ସେମାନଙ୍କୁ ପୁଲିସ୍ ବିଧିବଦ୍ଧ ଭାବେ ଶୃଙ୍ଖଳା ଭଙ୍ଗ ପାଇଁ ଗିରଫ କରିଥିଲା।
