ରାୟଚୁର : ଚୋରି ଅଭିଯୋଗ ପରେ କୁନି ଛାତ୍ର ଉପରେ ଗୁରୁଜୀଙ୍କ ଅତ୍ୟାଚାର । ଛୋଟ ପିଲାଟିକୁ ଏପରି ଦଣ୍ଡ ଦେଇଛନ୍ତି, ଯାହା ଶୁଣିଲେ ଆପଣଙ୍କ ହୃଦୟ ମଧ୍ୟ ଥରି ଉଠିବ । ସତରେ ଜଣେ ମଣିଷ ଏତେ ନିଷ୍ଠୁର ହୋଇପାରେ । ପେନ୍ ଚୋରି ଅଭିଯୋଗ ପରେ ଗୁରୁଜୀ ତାଙ୍କୁ ଶାସ୍ତି ଦେବାକୁ ଯାଇ ହାତ ଗୋଡ଼ ବାନ୍ଧି, ଆଖିରେ ପଟି ଲଗାଇ ବେଲ୍ଟରେ, ବାଡ଼ିରେ ପ୍ରବଳ ପିଟିଥିଲେ। ଏଥିସହ ୩ ଦିନ ଏକ କୋଠରୀରେ ବନ୍ଦ କରି ରଖିବାକୁ ପଛାଇଲେ ନାହିଁ। ଏପରି ଏକ ଲୋମଟାଙ୍କୁରା ଘଟଣା କର୍ଣ୍ଣାଟକାର ରାୟଚୁରର ଏକ ଆଶ୍ରମ ସ୍କୁଲରେ ଘଟିଛି।
ପୀଡ଼ିତ ଛାତ୍ର ଜଣକ ଏକ ପେନ୍ ଚୋରି କରିଥିବା ନେଇ ପିଲାମାନେ ଆଶ୍ରମ ସ୍କୁଲର ଗୁରୁଜୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଗୁରୁଜୀ ପିଲାଟିକୁ ଶାସ୍ତି ଦେବାକୁ ଯାଇ ପ୍ରବଳ ପିଟିଥିଲେ। ଏହାପରେ ସେ ପିଲାଟିକୁ ଏକ ରୁମ୍ରେ ୩ ଦିନ ପର୍ୟ୍ୟନ୍ତ ଏକୁଟିଆ ବନ୍ଦ କରି ରଖିଥିଲେ । ଏଥିରେ ପିଲାଟି ପ୍ରବଳ ଭୟଭୀତ ହୋଇ ଯାଇଥିଲା। ପିଲାଟିର ବଡ଼ ଭାଇ ମଧ୍ୟ ସେଠାରେ ରହି ପାଠ ପଢ଼ୁଥିଲା ।
ଏହାରି ଭିତରେ ଦୁଇ ପୁଅକୁ ଭେଟିବରା ପାଇଁ ମା’ ଆଶ୍ରମ ସ୍କୁଲରେ ପହଞ୍ଚିଥିଲେ। ବଡ଼ ପୁଅ ମା’ଙ୍କୁ ଘଟଣା ସମ୍ପର୍କରେ ସବୁ କିଛି କହିଥିଲେ। ଏହାପରେ ମହିଳାଜଣକ ନିଜ ପିଲାକୁ ଦେଖିବାକୁ ଚାହିଁବାରୁ ଗୁରୁଜୀ ମନା କରି ଦେଇଥିଲେ। ଏନେଇ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ପିଲାଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।
ଏନେଇ ପାଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୁରୁଜୀଙ୍କୁ ଗିରଫ କରିଛି। ମାତ୍ର ଗୁରୁଜୀ ନିଜ ଦୋଷ ସ୍ୱୀକାର କରିବା ପରିବର୍ତ୍ତେ ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି କହିଛନ୍ତି। ଏଥିସହ ଜେଲ୍ରୁ ବାହାରିଲେ ପ୍ରତିଶୋଧ ନେବେ ବୋଲି ମହିଳାଙ୍କୁ ଧମକ ଦେଇଛନ୍ତି।