ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେଉ ନାହିଁ । ଶିକ୍ଷା କ୍ଷେତ୍ରରେ ନିୟୋଜିତ ହଜାର ହଜାର ଅଧ୍ୟାପକ ଓ ଅଧ୍ୟାପିକା ଦୟନୀୟ ଜୀବନ ଯାପନ କରୁଛନ୍ତି । ରାଜ୍ୟରେ ବିଜେଡି ସରକାରରେ ବହୁ ପ୍ରଗତି ହେବା ନେଇ ରାଜ୍ୟ ସରକାର ବାହସ୍ପଟ ମାରୁଛନ୍ତି । କିନ୍ତୁ ଅଧିକାଂଶ ଅଧ୍ୟାପିକା ଦିନ ମଜୁରିଆଙ୍କ ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି । ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଉଚିତ୍ ଦରମା ପ୍ରଦାନ କରାଯାଉନାହିଁ ।
ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକଙ୍କ ଦରମା ବୃଦ୍ଧି କରିବାକୁ ୟୁନିଭର୍ସିଟି ଗ୍ରାଣ୍ଟସ କମିଶନ (ୟୁଜିସି) ନିର୍ଦ୍ଦେଶ ଦେଇଥିଲେ । ୟୁଜିସି ଗାଇଡଲାଇନ୍ ଅନୁଯାୟୀ ଅନ୍ୟ ରାଜ୍ୟଗୁଡିକ ସ୍ୱୟଂ ଶାସିତ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ/ ଅଧ୍ୟାପିକା ଦରମା ବୃଦ୍ଧି କରିଛନ୍ତି । କିନ୍ତୁ ଏହାକୁ ରାଜ୍ୟ ସରକାର ପାଳନ କରୁନାହାନ୍ତି । ୨୦୦୫ ମସିହାରୁ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକରେ ଚୁକ୍ତିଭିତ୍ତିକ ଅଧ୍ୟାପକ ନିଯୁକ୍ତି କରାଯାଉଛି ରାଜ୍ୟର ୫୨ରୁ ଅଧିକ ସରକାରୀ ଡିଗ୍ରୀ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୫୦୦ ରୁ ଅଧିକ ଅତିଥି ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି । ପାଠ ପଢାଇବାକୁ ହେଲେ ପ୍ରତିବର୍ଷ ସେମାନଙ୍କୁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡ଼ୁଛି । କିନ୍ତୁ ସେମାନଙ୍କର ମାସିକ ଦରମା ବୋଲି କିଛି ନାହିଁ । କ୍ଲାସ ପିଛା ୪୦୦ରୁ ୫୦୦ ଟଙ୍କା ସେମାନଙ୍କ ପାରିଶ୍ରମିକ । କିନ୍ତୁ ଏହି ଅର୍ଥ ମଧ୍ୟ ନିୟମିତ ଓ ଠିକ ସମୟରେ ମିଳୁନାହିଁ । କଲେଜ ଛୁଟି ହେଲେ ପାରିଶ୍ରମି ଶୂନ । ମାସରେ ସର୍ବାଧିକ ୫୦ଟି ପର୍ଯ୍ୟନ୍ତ କ୍ଲାସ କରିବାକୁ ଅନୁମତି ଅଛି । ଫଳରେ ଏମାନଙ୍କୁ ସର୍ବାଧିକ ୨୫ ହଜାର ଟଙ୍କା ମିଳିଥାଏ ।
ଏହାକୁ ନେଇ ଚୁକ୍ତିଭିତ୍ତିକ ଅଧ୍ୟପକ ଅଧ୍ୟାପିକାଙ୍କ ମଧ୍ୟରେ ଦାନାବାନ୍ଧୁଛି ଅସନ୍ତୋଷ । ୨୦୧୯ ଜାନୁଆରୀ ୟୁଜିସି ନୂଆ ଗାଇଡଲାଇନ୍ ଅନୁଯାୟୀ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡିକରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ/ଅଧ୍ୟାପିକାମାନଙ୍କର ଦରମା ୫୦ ହଜାର ଟଙ୍କା । ପଶ୍ଚିମବଙ୍ଗ, ତେଲେଙ୍ଗାନା ଭଳି କେତେକ ରାଜ୍ୟ ୟୁଜିସିର ଏହି ନୂଆ ଗାଇଡଲାଇନକୁ ପାଳନ କରିବା ସହ ଦରମା ମଧ୍ୟ ବୃଦ୍ଧି କରିଛନ୍ତି । ହେଲେ ଓଡ଼ିଶା ସରକାର ଏବେ ଯାଏ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଯାହାକୁ ନେଇ ଏବେ ଅଧ୍ୟାପକ/ ଅଧ୍ୟାପିକାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଛନ୍ତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟାପକ/ଅଧ୍ୟାପିକାମାନେ । ଆଗାମୀ ଦିନରେ ଏହି ଚୁକ୍ତିଭିତ୍ତିକ ଅଧ୍ୟାପକଗଣ ଯେ ରାଜରାସ୍ତାକୁ ଓହ୍ଲାଇବେ ନାହିଁ ଏହା କହି ହେଉନାହିଁ । ଏପରି ହେଲେ ଉଚ୍ଚଶିକ୍ଷା ବାଧାପ୍ରାପ୍ତ ହେବା ସାରହେବ ।