ବିଷମ କଟକରେ ପ୍ରଥମ ଥର ପାଇଁ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ, ୫ ଲକ୍ଷରୁ ଅଧିକ ମୂଲ୍ୟର ଗଛ ପୋଡ଼ିଲା ଅବକାରୀ ବିଭାଗ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡ଼ା ପଞ୍ଚାୟତର ରେଲାକୁପା ମୌଜା ଅଧୀନରେ ଥିବା ଏକ ଜଙ୍ଗଲରେ ଆଜି ସକାଳେ ଏକ ବଡ଼ ଧରଣର ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି। ବିଷମ କଟକ ବ୍ଲକ୍ ଇତିହାସରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଏହା ଜନସାଧାରଣଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଷମ କଟକ ଅବକାରୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୁଣୁପୁର ରେଞ୍ଜ୍ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ରେଲାକୁପା ମୌଜା ଅନ୍ତର୍ଗତ ଜଙ୍ଗଲରେ ହୋଇଥିବା ଏହି ବେଆଇନ ଚାଷରୁ ପ୍ରାୟ ୪୦୦ ରୁ ୫୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା।
ଗଛଗୁଡ଼ିକୁ ଉପାଡ଼ି ଦିଆଯାଇ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ଏ ସମ୍ପର୍କରେ ବିଷମ କଟକ ଅବକାରୀ ଥାନା ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ନଷ୍ଟ କରାଯାଇଥିବା ଏହି ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ବ୍ୟାପକ ଚଢ଼ାଉ ଦ୍ୱାରା ବିଷମ କଟକ ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଏକ ବଡ଼ ଧରଣର ପ୍ରହାର ଦିଆଯାଇଛି। ଏହି ଘଟଣା ପରେ ଅବକାରୀ ବିଭାଗ ଅନ୍ୟାନ୍ୟ ସମ୍ଭାବ୍ୟ ଚାଷ ଜାଗା ଉପରେ ନଜର ରଖିଛି ବୋଲି ଜଣାପଡ଼ିଛି। ତେବେ ଏହି ବେଆଇନ ଚାଷ କିଏ କରୁଥିଲା, ସେ ନେଇ ତଦନ୍ତ ଜାରି ରହିଛି।
