ନୂଆଦିଲ୍ଲୀ: ପୁଣି ଲଦାଖରେ ରକ୍ତାକ୍ତ ସଂଘର୍ଷ । ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ ସେନା ମଧ୍ୟରେ ପୁଣି ସଂଘର୍ଷ ହୋଇଛି । ସିକ୍କିମରେ ଭାରତୀୟ ସୀମା ମଧ୍ୟକୁ ଚୀନ୍ ସୈନ୍ୟ ଧସେଇ ପସିବାକୁ ଚେଷ୍ଟା କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସଂଘର୍ଷରେ ୪ ଜଣ ଭାରତୀୟ ଯବାନ ଓ ୨୦ ଚୀନ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଉଭୟ ଦେଶର ସେନା ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଛି ।
ଋବିବାର ଠାରୁ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ପ୍ରତିଷ୍ଠା ପାଇଁ ୧୫ ଦିନିଆ ଆଲୋଚନା ଆରମ୍ଭ ହୋଇଛି । ଆଲୋଚନା ସମୟରେ ଭାରତ ତାର ସ୍ପଷ୍ଟ ଆଭିମୁଖ୍ୟ ଚୀନ ସମ୍ମୁଖରେ ଉପସ୍ଥାପନ କରିଛି । ଚୀନ ପଛଘଞ୍ଚା ନ ଦେବା ପର୍ଯ୍ୟନ୍ତ ଶାନ୍ତି ବାର୍ତ୍ତା ସମ୍ଭବ ନୁହେଁ ବୋଲି ଭାରତ ପକ୍ଷରୁ ଚୀନକୁ କଡାଭାବେ କୁହାଯାଇଛି ।
ଗତ ବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଗତ ଜୁନ ମାସରେ ମଧ୍ୟ ଚୀନ- ଭାରତ ସେନା ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହା ପରଠାରୁ ଭାରତୀୟ ସେନା ସମସ୍ତ ପ୍ରତିକୂଳ ପାଗ ସତ୍ତ୍ୱେ ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରିବା ସହ ଯେ କୌଣସି ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ ଥିବା କହିଛି ।
