(ଭୁବନେଶ୍ୱର) : ଖୋରଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରିଛି । ଅନେକ ସଂଗ୍ରାମ ପରେ ଏ ଦେଶ ସ୍ୱାଧୀନତା ହାସଲ କରିଥିଲା ଓ ଅନେକ ବୀରବିପ୍ଳବୀମାନଙ୍କ ତ୍ୟାଗ ଏବଂ ଶ୍ରେଷ୍ଠ ଗଣତାନ୍ତ୍ରିକ ପରମ୍ପରାର ସମ୍ମାନ ବଜାୟ ରଖିବା ନିମନ୍ତେ ମତଦାନ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।
ଭୋଟରମାନେ ଭୋଟର ହେଲପ୍ଲାଇନ୍ ଆପ୍ ମାଧ୍ୟମରେ ଭୋଟର ତାଲିକାରେ ଥିବା ନିଜର କ୍ରମିକ ଓ ଭାଗ ସଂଖ୍ୟା ଜାଣିବାର ସୁବିଧା ରହିଛି । ସେହିଭଳି ଜିଲ୍ଲାର ମତଦାତାମାନେ ‘ମୋ ବୁଥ୍’ ଆପ୍ ମାଧ୍ୟମରେ ବୁଥ୍ର ଅବସ୍ଥିତି, ସେଠାକୁ ଯିବା ପାଇଁ ମାର୍ଗ ଏବଂ ସମାନ ସମୟ ମଧ୍ୟରେ ଧାଡ଼ିରେ ଛିଡ଼ା ହୋଇଥିବା ମତଦାତାଙ୍କ ସଂଖ୍ୟା ଜାଣିପାରିବେ । ଏତଦ୍ବ୍ୟତୀତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ସର୍ବତ, ଶିଶୁମାନଙ୍କ ପାଇଁ କ୍ରେଚ୍, ପ୍ରତୀକ୍ଷା ଗୃହ, ଶୌଚାଳୟ, ଭିନ୍ନକ୍ଷମ ବନ୍ଧୁମାନଙ୍କ ପାଇଁ ର୍ୟାମ୍ପ ଓ ହୁଇଲ୍ ଚେୟାର, ବୟସ୍କମାନଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଶ୍ରୀ ରାଣା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପ୍ରେରଣାଦାୟୀ ସୂଚନା ପ୍ରଦାନ କରିଛନ୍ତି ।
