ଭୁବନେଶ୍ବର: ବଦଳିବ କି ରାଜ୍ୟରେ କଂଗ୍ରେସ ଭାଗ୍ୟ । ପୁଣି ଥରେ ରାଜ୍ୟରେ କଂଗ୍ରେସ ସଂଗଠନ ସୁଦୃଢ଼ ହେବ କି ? ପିସିସିର ନବକଳେବର ରାଜ୍ୟରେ କଂଗ୍ରେସର ଭାଗ୍ୟ ବଦଳାଇବ କି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଆଉ ଏହାରି ଭିତରେ ଏବେ କଂଗ୍ରେସରେ ଚାଲିଛି ମାନସ ମନ୍ଥନ । କିଏ ହେବ ପିସିସି ସଭାପତି । ନେତୃତ୍ବ ବଦଳିବ ହେଲେ ବଦଳିବ କଂଗ୍ରେସର ଭାଗ୍ୟ। କାରଣ ହାତ ପିଛା ଛାଡୁନି ଗୋଷ୍ଠୀ କନ୍ଦଳ।
ନୂଆ ନେତାଙ୍କ ପାଇଁ ସମସ୍ତଙ୍କୁ ଏକାଠି ନେଇ ଚାଲିବା ହେବ ସବୁଠୁ ବଡ ଚ୍ୟାଲେଞ୍ଜ । କାରଣ ଗତ ନିର୍ବାଚନରେ ଗୋଷ୍ଠୀ କନ୍ଦଳ ହିଁ କଂଗ୍ରେସ ପାଇଁ ସବୁଠୁ ବଡ ଶତ୍ରୁ ପାଲଟିଥିଲା । ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ, ନିର୍ବାଚନରେ ଫାଇଦା ପାଇପାରିଲାନି କଂଗ୍ରେସ । ରାଜ୍ୟରେ ବିଜେଡି ସହ କଂଗ୍ରେସ ବି ବିରୋଧୀ ଆସନରେ ରହିଛି । ତେଣୁ ବିରୋଧୀ ଭାବେ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଜନତାଙ୍କ ପୂର୍ବ ବିଶ୍ବାସ ଫେରି ପାଇବାକୁ ଦଳକୁ ଉଦ୍ୟମ କରିବାକୁ ପଡିବ । ନିର୍ବାଚନ ବେଳେ ବହୁ ବରିଷ୍ଠ ନେତା ଦଳ ଛାଡି ଯିବା ପରେ ତୃଣମୂଳସ୍ତରରେ ବି କର୍ମୀ ଭାଗ ଭାଗ ହୋଇଛନ୍ତି। ତେଣୁ ସେମାନଙ୍କୁ ଏକାଠି କରି ହାତମୁଠା ଟାଣ କରିବାକୁ ପଡିବ ।
ଓଡିଶାରେ ନୂଆ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । ଭାଙ୍ଗିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି, ପିସିସି ସଭାପତି ପଦରୁ ହଟିଛନ୍ତିି ଶରତ ପଟ୍ଟନାୟକ। କଂଗ୍ରେସ ସଭାପତିଙ୍କ ଅନୁମୋଦନ ପରେ ଜିଲ୍ଲା, ବ୍ଲକ, ମଣ୍ଡଳସ୍ତରୀୟ ବିଭିନ୍ନ କମିଟିକୁ ଭଙ୍ଗ କରିଛି କଂଗ୍ରେସ । ନୂଆ କମିଟି ଗଠନ ହେବା ପର୍ଯ୍ୟନ୍ତ ଶରତ କାମଚଳା ଦାୟିତ୍ବରେ ରହିବେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ରେସରେ ବେଶ ଆଗରେ ରହିଛନ୍ତି । ଅନ୍ୟପଟେ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ମଧ୍ୟ କିଛି ଗୋଷ୍ଠୀ ଲବି କରିବା ଆରମ୍ଭ କଲେଣି। ଅନ୍ୟପଟେ ଏ ରେସରେ ବେଶ ଆଗରେ ରହିଛନ୍ତି କୋରାପୁଟରୁ ୨ଥର ସାଂସଦ ଭାବେ ଜିତିଥିବା ସପ୍ତଗିରି ଉଲ୍ଲାକା। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ହାତ ରାଜନୀତି କଂଗ୍ରେସ ଭବନରୁ ଯାଇ ଦିଲ୍ଲୀରେ ଦରବାରରେ ପହଞ୍ଚିଛି ।ଶରତଙ୍କ ନେତୃତ୍ବରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ଲଢିଥିଲା,୧୪ ବିଧାୟକ,ମାତ୍ର ଗୋଟିଏ ଏମପି ସିଟ୍ ଜିତିବାରେ ସଫଳ ହୋଇଥିଲା ହାତ,କିନ୍ତୁ ନିଜେ ଶରତ ଜିତିପାରିନଥିଲେ ନିର୍ବାଚନ। ଯଦିଓ ୨୦୧୯ରେ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ହାତକୁ ମାତ୍ର ୯ଟି ବିଧାୟକ ସିଟ୍ ,୧ ଗୋଟିଏ ଲୋକସଭା ସିଟ୍ ଜିତିଥିଲା ଦଳ। ଏପଟେ ୯ରୁ ୧୪ରେ ପହଞ୍ଜିଛି କଂଗ୍ରେସର ସଂଖ୍ୟା। ପୂର୍ବ ବିଧାନସଭା ଅପେକ୍ଷା ସଂଖ୍ୟା ବି ବଢିଛି,ମାତ୍ର ଏକାଠି ହୋଇପାରୁନାହାନ୍ତି ହାତ ନେତା ।
ରାଜ୍ୟରେ ଭଲ ପ୍ରଦର୍ଶନର ସୁଯୋଗ ହାତଛଡା କରିସାରିଛି କଂଗ୍ରେସ । ହେଲେ ଏବେଠୁ ସଂଗଠିତ ନହେଲେ ଆଗକୁ ପଞ୍ଚାୟତ ନିର୍ବାଚନରେ ବି ହାତକୁ ଲାଗିପାରେ ଝଟକା । ତେଣୁ ଦଳରେ ସମସ୍ତଙ୍କୁ ଏକାଠି ନେଇ ଚାଲିପାରୁଥିବା ଜଣେ ନେତାଙ୍କୁ ମଙ୍ଗୁଆଳ କରିପାରେ ଏଆଇସିସି । ସାରା ଦେଶରେ ହାତକୁ ବଳ ମିଳିଥିବା ବେଳେ ଓଡିଶା ପାଇଁ ସ୍ବତନ୍ତ୍ର ରଣନୀତି ନକଲେ ଦିନେ ବର୍ଷ ବର୍ଷ ଧରି କ୍ଷମତାରେ ରହିଥିବା କଂଗ୍ରେସ, ଲୋକଙ୍କ ବିଶ୍ବାସଠୁ ବହୁ ଦୂରକୁ ଚାଲିଯାଇପାରେ ।