ନୂଆଦିଲ୍ଲୀ: ଦୁର୍ନୀତି ରୋକିବା ଦିଗରେ ସରକାରଙ୍କ ସବୁ ଚେଷ୍ଟା ଫେଲ ମାରିଛି । ଲାଞ୍ଚ କାରବାରରେ ଏସିଆ ମହାଦେଶରେ ଭାରତ ଅଧିକାର କରିଛି ପ୍ରଥମ ସ୍ଥାନ । ଗତ ୧୨ ବର୍ଷରେ ଦୁର୍ନୀତି ଆଶାତୀତଭାବେ ବଢି ଚାଲିଛି । ଏକ ସର୍ଭେ ଅନୁସାରେ ଭାରତୀୟଙ୍କ ମଧ୍ୟରେ ୪୬ ପ୍ରତିଶତ ଲୋକ ବ୍ୟକ୍ତିଗତ କାମ ପାଇଁ ନିଜର ସମ୍ପର୍କ ଓ ଶକ୍ତିର ପ୍ରୟୋଗ କରିଥାନ୍ତି । ଦେଶରେ ୩୯ ପ୍ରତିଶତ କାମ ଲାଞ୍ଚରେ ହୋଇଥିବା ସର୍ଭେରୁ ଜଣାପଡିଛି ।
ବିଶ୍ୱ ଆର୍ଥିକ ମଞ୍ଚ ଜାନୁଆରୀରେ ଦାବୋସରେ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାଶନାଲ ଦ୍ୱାରା ଜାରି କରିଥିବା ଏକ ରିପୋର୍ଟରେ ଦୁର୍ନୀତି ତାଲିକାରେ ଭାରତକୁ ୮୦ ରାଙ୍କରେ ରଖିଥିଲା । ୧୮୦ଟି ଦେଶକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହି ସର୍ଭେରେ ଏସିଆର ପ୍ରାୟ ୧୭ଟି ଦେଶର ୨୦ ହଜାର ଲୋକ ଭାଗ ନେଇଥିଲେ । ଜୁନରୁ ସେପ୍ଟମ୍ବର ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।
ଦେଶରେ ଲାଞ୍ଚ ଦେଉଥିବା ଲୋକଙ୍କ ସଂଖ୍ୟା ୫୦ ପ୍ରତିଶତ ଥିବା ବେଳେ ୩୨ ପ୍ରତିଶତ ଲୋକ କହିଛନ୍ତି, ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର ନକଲେ କାମ ହୁଏ ନାହିଁ । ୪୭ ପ୍ରତିଶତ ଲୋକଙ୍କ ଅନୁଯାୟୀ, ଦେଶରେ ଗତ ୧୨ ବର୍ଷରେ ଦୁର୍ନୀତି ହୁହୁ ହୋଇ ବଢିଛି । ଏହାସହ ୬୩ ପ୍ରତିଶତଙ୍କ ମତରେ ସରକାର ଦୁର୍ନୀତି ରୋକିବା ଦିଗରେ ପଦକ୍ଷେପ ନେଉଛନ୍ତି ।
ଏସିଆରେ ଲାଞ୍ଚ କାରବାରରେ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ମାଳଦ୍ୱୀପ ଓ ଜାପାନରେ ଏହା ସବୁଠାରୁ କମ୍ ମାତ୍ର ୨ ପ୍ରତିଶତ । କମ୍ବୋଡିଆ ୩୭ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଇଣ୍ଡୋନେସିଆ ୩୦ ପ୍ରତିଶତ ଲାଞ୍ଚ କାରବାର ହେଉଥିବା ରିପୋର୍ଟ ଦର୍ଶାଉଛି ।
SR