ରାୟପୁର ଠାରେ ଚାଲିଥିବା ‘ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସ ୨୦୨୬’ରେ ସେ ସନ୍ତରଣରେ ସ୍ୱର୍ଣ୍ଣ ପଦକ ଜିତି ଏକ ନୂଆ ଇତିହାସ ରଚିଛନ୍ତି ଓଡ଼ିଶାର ଜଣେ ୧୫ ବର୍ଷୀୟା କିଶୋରୀ ଅଞ୍ଜଳି ମୁଣ୍ଡା । ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିବାରେ ଅଞ୍ଜଳି ମୁଣ୍ଡା ହେଉଛନ୍ତି ପ୍ରଥମ ମହିଳା ଆଥଲେଟ୍ । ୨୦୦ ମିଟର ଫ୍ରି-ଷ୍ଟାଇଲ୍ ଇଭେଣ୍ଟରେ ଅଞ୍ଜଳି ମାତ୍ର ୨:୩୯.୦୨ ସେକେଣ୍ଡରେ ନିଜର ଲକ୍ଷ୍ୟ ପୂରଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଅଞ୍ଜଳି ଗତ ୨୧ ଏବଂ ୨୨ ମାର୍ଚ୍ଚରେ ଗୌହାଟିରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ସୁଇମିଂ ଲିଗ (ପୂର୍ବ ଜୋନ୍)ରେ ଉତ୍କର୍ଷ ପ୍ରଦର୍ଶନ ଜାରି ରଖି ଦୁଇଟି ରୌପ୍ୟ ପଦକ ଜିତିଥିଲେ । ଏହି ଯୁବ ଖେଳାଳି ଆଗାମୀ ଇଭେଣ୍ଟଗୁଡ଼ିକରେ, ବିଶେଷକରି ମହିଳା ୫୦ ମିଟର ବ୍ୟାକଷ୍ଟ୍ରୋକ, ୧୦୦ ମିଟର ବ୍ୟାକଷ୍ଟ୍ରୋକ ଏବଂ ୨୦୦ ମିଟର ବ୍ୟକ୍ତିଗତ ମିଶ୍ରଣରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ପଛରେ ପକାଇବାକୁ ଲକ୍ଷ୍ୟ ରଖିଛନ୍ତି ।

