(ସୁର୍ଜିତ ଧଳ): ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବୀମା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଏହି ଘୋଷଣା ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆହୁରି ଆଗକୁ ଯାଇ କାମ କରିବାକୁ ପ୍ରୋତ୍ସାହନ ଯୋଗାଇବ ବୋଲି ସେ ଆଶା ରଖିଛନ୍ତି ।
ମହାମାରୀ କରୋନା ମୁକାବିଲା ପାଇଁ କାର୍ଯ୍ୟକରୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପୂର୍ବରୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀ, ଆଶା ଦିଦିଙ୍କ ପାଇଁ ବୀମାରାଶି ଘୋଷଣା କରିଥିଲେ । ଆଜି ସାମ୍ବାଦିକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା ସେମାନଙ୍କୁ ସହଯୋଗ ଯୋଗାଇବା ସହ ନିଦ୍ୱନ୍ଦ୍ୱରେ ଓ ନିର୍ଭୟରେ କାମ କରିବାକୁ ପ୍ରୋତ୍ସାହନା ଯୋଗାଇ ଦେବ ନିଶ୍ଚିତ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାର ମହତ୍ୱ ବୁଝିଛନ୍ତି ବର୍ତ୍ତମାନର ସୂଚନା ଲୋକସମ୍ପର୍କ ପରାମର୍ଶଦାତା ତଥା ପୂର୍ବତନ ସାମ୍ବାଦିକ ମାନସ ମଙ୍ଗରାଜ । ସେ ଜଣେ ସାମ୍ବାଦିକ ହୋଇଥିବାରୁ ସାମ୍ବାଦିକମାନଙ୍କ ସମସ୍ୟା, ବିଭିନ୍ନ ବିପର୍ଯ୍ୟୟ ସମୟରେ ଖବର ପରିବେଷଣ କରିବାକୁ ଯାଉଥିବା ବେଳେ ଜୀବନ ପ୍ରତି ଥିବା ଭୟ ସମ୍ପର୍କରେ ଅଭିଜ୍ଞ । ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ ଜଣାଇବା ସହ ଏଥିନେଇ ସମସ୍ତ ସାମ୍ବାଦିକଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଯେତେବେଳେ ମାନସ ମଙ୍ଗରାଜ ଲୋକସମ୍ପର୍କ ବିଭାଗର ପରାମର୍ଶ ଦାତା ଭାବେ ଯୋଗଦେଇଥିଲେ, ସେତେବେଳେ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ଏକ ଆଶାର କିରଣ ଦେଖାଦେଇଥିଲା । ଏହାକୁ ସାମ୍ବାଦିକମାନେ ସ୍ୱାଗତ ଜଣାଇଥିଲେ । ସେ ସମୟରେ ସେମାନେ ଆଶା ରଖିଥିଲେ ମଙ୍ଗରାଜ ନିଜେ ସାମ୍ବାଦିକ ଭାବେ କାର୍ଯ୍ୟ ତୁଲାଉଥିବାରୁ ତାଙ୍କୁ ଜଣାଅଛି ସାମ୍ବାଦିକଙ୍କ ଅଙ୍ଗେନିଭା କଥା ଓ ବ୍ୟଥା । ଅ।।ଜି ତାହା ସତ ହୋଇଛି । ଆଜିର ଘୋଷଣା ପରେ ମଙ୍ଗରାଜଙ୍କ ଖୁସୀକୁ ସମସ୍ତ ସାମ୍ବାଦିକ ଦେଖିଛନ୍ତି ।
ସୂଚନାଯୋଗ୍ୟ, କରୋନାର ଆତଙ୍କ ମଧ୍ୟରେ ବୁଲି ବୁଲି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀମା ରାଶି ଘୋଷଣା କରିଛନ୍ତି । ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ କୋରୋନା ଜନିତ ମୃତ୍ୟୁ ହୁଏ ତାହାଲେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ନେଇ ସେ ଘୋଷଣା କରିଛନ୍ତି ।