ପୁରୀ: ସହିଦଙ୍କୁ ଝୁରୁଛି ସାରା ଗାଁ । ଲୁହରେ ଭିଜୁଛି ଜନ୍ମ ସ୍ଥାନ । ଦେଶ ମାତୃକା ପାଇଁ ବଳି ଦେଇଛି ମାଟିର ମା । ଶହୀଦ ଦେବାଶିଷ ବିଶ୍ୱାଳ ଅମର ରହେ ଧ୍ୱନିରେ କମ୍ପୁଛି ପରିବେସ । ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀର ସହିଦ ଦେବାଶିଷ ବିଶ୍ୱାଳ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଜନ୍ମସ୍ଥାନ ଅଳଗୁମରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଅଳଗୁମ ଶ୍ମଶାନରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ତାଙ୍କ ପାର୍ଥିବ ଶରୀରକୁ ସାନ ଭାଇ ମୁଖାଗ୍ନି ଦେବାପରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଶହୀଦ ଦେବାଶିଷ । ମୁଖାଗ୍ନି ପୂର୍ବରୁ ସେନା ପକ୍ଷରୁ ତାଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଅନ୍ତିମ ସଂସ୍କାର ସମୟରେ ଲୋକଙ୍କ ଲୁହରେ ଭିଜିଥିଲା ଅଳଗୁମ ଶ୍ମଶାନ ପଡ଼ିଆ । ଶହୀଦ ଦେବାଶିଷ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ସତ୍ୟବାଦୀ । ଏହା ପୂର୍ବରୁ ରାଷ୍ଟ୍ରୀୟ ସମ୍ମାନ ସହ ତ୍ରିରଙ୍ଗାରେ ଘୋଡ଼ାଯାଇ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ଗତ ଗୁରୁବାର ଅପରାହ୍ନରେ ଜମ୍ମୁକାଶ୍ମୀରର ପୁଞ୍ଚରେ ସେନା ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ଶହୀଦ ହୋଇଯାଇଥିଲେ । ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ମଧ୍ୟ ଶହୀଦ ହୋଇଥିଲେ ।