(ଭୁବନେଶ୍ୱର) : ଚଳିତ ମାସ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି । ଚଳିତ ଶିକ୍ଷାବର୍ଷର ସିଲାବସ୍ ଅନୁସାରେ ପାଠପଢ଼ା ଏଯାଏ ଶେଷ ହୋଇ ପାରିନଥିବାରୁ ଚିନ୍ତାରେ ରହିଥିଲେ ଅନେକ ଛାତ୍ରଛାତ୍ରୀ ।
ସୂଚନାନୁଯାୟୀ, ରାଜ୍ୟରେ ୫ଲକ୍ଷରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ମାନସିକ ଚାପରେ ରହିଥିଲେ। ପରୀକ୍ଷା ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ମଧ୍ୟ ଦାବି ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଉକ୍ତ ପରୀକ୍ଷା ଅକ୍ଟୋବରରେ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ପରୀକ୍ଷା ସୂଚୀ ସମ୍ପର୍କରେ ଖୁବ୍ଶୀଘ୍ର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି ।