ନୂଆପଡା ଉପନିର୍ବାଚନ ସରିବା ପରେ ଏବେ ଶଙ୍ଖ ଭବନରେ ଜୋରଦାର ଆଲୋଚନା । ବିଜୁ ଜନତା ଦଳର ପରାଜୟ ହାସଲ କରିଛି । ଏନେଇ ଆଜି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଏକ ବଡ଼ ଧରଣର ସମୀକ୍ଷା କରିଛନ୍ତି । ନବୀନ ନିବାସରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ନୂଆପଡ଼ା ଜିଲ୍ଲା ସଭାପତି, ପରାଜିତ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପରାଜୟର କାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏଥିସହିତ ଦଳୀୟ ନେତାମାନଙ୍କୁ ସାହସର ସହ କାମ କରିବାକୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ସରକାରଙ୍କୁ ଭୟ ନକରି ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ । ସରକାରଙ୍କ ବିରୋଧରେ ତୃଣମୂଳ ସ୍ତରରୁ ଲଢେଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ଆଲୋଚନା ପରେ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ନେହାଙ୍ଗିନୀ ଛୁରିଆ ଶାସକ ଦଳ ବିଜେପି ଉପରେ ବର୍ଷିଛନ୍ତି । ସେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରଶାସନର ସହାୟତାରେ ବୁଥ୍ ରିଗିଂ କରି ବିଜେପି ଏହି ବିଜୟ ହାସଲ କରିଛି । ବର୍ତ୍ତମାନ ପ୍ରଶାସନ ବିଜେପିର ହାତବାରିସି ସାଜି କାମ କରୁଛି ଏବଂ ବିଜେଡିର ଅଭିଯୋଗ ଶୁଣାଯାଉ ନାହିଁ । ରାଜ୍ୟରେ ଚାଷୀଙ୍କ ଧାନ କିଣାଯାଉ ନାହିଁ ଏବଂ ସରକାରଙ୍କ କଥା ଓ କାମରେ ଆକାଶ ପାତାଳ ଫରକ ରହିଛି ବୋଲି ସେ କହିଛନ୍ତି ।
