ଭୁବନେଶ୍ୱର: ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ଭୁଲକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ୍ ମିଡିଆରେ ଦୀର୍ଘ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ବିଦ୍ୟାଳୟର ପାଠ୍ୟପୁସ୍ତକ କେବଳ ଏକ ବହି ନୁହେଁ, ବରଂ ପ୍ରତ୍ୟେକ ଶିଶୁ ପାଇଁ ସତ୍ୟ, ତଥ୍ୟ ଓ ଜ୍ଞାନ ସହ ପ୍ରଥମ ପରିଚୟର ମାଧ୍ୟମ।
ନବୀନ କହିଛନ୍ତି, ଶିଶୁମାନେ ଅନେକ କଥାକୁ ପ୍ରଶ୍ନ କରିପାରନ୍ତି, କିନ୍ତୁ ପାଠ୍ୟପୁସ୍ତକରେ ଛପା ହୋଇଥିବା ପ୍ରତ୍ୟେକ ଶବ୍ଦକୁ ସତ୍ୟ ବୋଲି ବିଶ୍ୱାସ କରନ୍ତି। ତେଣୁ ପାଠ୍ୟପୁସ୍ତକରେ ଭୁଲ ରହିବା କେବଳ ମୁଦ୍ରଣ ତ୍ରୁଟି ନୁହେଁ, ବରଂ ପିଲାମାନଙ୍କ ଆସ୍ଥା, ବିଶ୍ୱାସ ଓ ଭବିଷ୍ୟତର ମୂଳଦୁଆ ଉପରେ ସିଧାସଳଖ ଆଘାତ।
ସେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ବିଜେପି ସରକାର ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଚରମ ଅବହେଳା କରିଛନ୍ତି। ଭୁଲରେ ଭରା ପୁସ୍ତକ ଛାପିବା, ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ନେଇ ବାରମ୍ବାର ନିଷ୍ପତ୍ତି ବଦଳାଇବା ଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମନରେ ପାଠ୍ୟପୁସ୍ତକ ପ୍ରତି ଥିବା ବିଶ୍ୱାସ ଦୁର୍ବଳ ହୋଇଛି।
ବିରୋଧୀ ଦଳ ନେତା କହିଛନ୍ତି, ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ଭୁଲ ସଂଶୋଧନ କରିପାରନ୍ତି, କିନ୍ତୁ ଗୋଟିଏ ସମ୍ପୂର୍ଣ୍ଣ ପୀଢ଼ିର ବିଶ୍ୱାସ ଭାଙ୍ଗିଯିବାର କ୍ଷତି କେବେ ପୂରଣ ହେବ ନାହିଁ। କୋମଳମତି ପିଲାମାନଙ୍କ ଆସ୍ଥା ଉପରେ ଯେଉଁ ଆଘାତ ଲାଗିଛି, ତାହା କୌଣସି ସଂଶୋଧନ ଦ୍ୱାରା ଭରଣା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ନବୀନ ପଟ୍ଟନାୟକଙ୍କ ଏହି ବୟାନ ପରେ ପାଠ୍ୟପୁସ୍ତକ ବିବାଦକୁ ନେଇ ରାଜ୍ୟର ରାଜନୀତି ଆହୁରି ସରଗରମ ହୋଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାରଙ୍କ ଜବାବଦେହିତା ଦାବି କରୁଥିବା ବେଳେ, ସରକାରଙ୍କ ପ୍ରତିକ୍ରିୟା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
