(ଢେଙ୍କାନାଳ) ; ଜନନୀ ଯନ୍ତ୍ରଣାର ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳୀ ଗ୍ରାମ କଳାମାଟିସାହିରେ । ଖଟିଆରେ ବୁହା ହୋଇ ନଦୀ ପାର ହେଲେ ମା ଓ ନବଜାତ ଶିଶୁ । ଗାଁରୁ ନଦୀ ପାରହେବା ପର୍ୟ୍ୟନ୍ତ ପ୍ରାୟ ୨ କି.ମି. ଖଟିଆରେ ଦୋଳା କରି ବୁହା ହୋଇ ଆଣିଥିଲେ । ଆଣିବା ବାଟରେ ରାମିଆଳ ନଦୀ ନିକଟରେ ହିଁ ତାଙ୍କର ଶିଶୁପୁତ୍ରଟିଏ ଜନ୍ମ ହୋଇଥିଲା ।ଗାଁର ଓକିଲ ହେମ୍ବ୍ରମଙ୍କ ପତ୍ନୀ ଡୁମୁନି ହେମ୍ବ୍ରମଙ୍କ ରବିବାର ସକାଳ ୯ଟା ବେଳକୁ ପଥମ ଗର୍ଭର ପ୍ରଥମ ଯନ୍ତଣା ଅନୁଭବ କରିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ଡାକାଇଥିଲେ ।ଗାଁକୁ ଭଲ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇପାରିନଥିଲା । ତେବେ ଉପାୟ ଶୁନ୍ୟ ପରିବାର ଲୋକେ ଖଟିଆ ସାହାର୍ଯ୍ୟରେ ନଦୀ ପାରକରି ଆମ୍ବୁଲାନ୍ସ ନିକଟକୁ ଆଣିବା ବାଟରେ ନଦୀ କୁଳରେ ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀଙ୍କ ଉପସ୍ଥିତରେ ପ୍ରସବ ହୋଇଥିଲା । ତେଣୁ ଉଭୟ ମା’ ଓ ନବଜାତକୁ ଖଟିଆରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ୟ୍ୟନ୍ତ ଆଣି ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । ଏଠି ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି ।ଗ୍ରାମ ପାଇଁ ରାସ୍ତା ନିମନ୍ତେ ଟଙ୍କା ମଞ୍ଜୁରି ହୋଇଛି । ଖୁବଶୀଘ୍ର କାମ ହେବ ବୋଲି କହିଛନ୍ତି ।
