(ଭୁବନେଶ୍ୱର) : ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ।ଏଥିପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ତତ୍ପର ଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ମାଟ୍ରିକ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି । ପରୀକ୍ଷା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ।
ସୂଚନାନୁଯାୟୀ , ପ୍ରଥମ ଦିନ ଅର୍ଥାତ୍ ୨୦ରେ ମାତୃଭାଷା, ଏହାପରେ ୨୩ରେ ଦ୍ଵିତୀୟ ଭାଷା ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ହେବ । ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ବିଜ୍ଞାନ ଓ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସବୁଦିନ ସକାଳ ୯ ଟାରେ ଆରମ୍ଭ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ରେଗୁଲାର ପରୀକ୍ଷାର୍ଥୀ ଭାବେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଛନ୍ତି । ଏଥିପାଇଁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ (AI) ର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ।