(ଭୁବନେଶ୍ୱର) : ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହୋଇଥିବାର ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ନୟାଗଡ଼, ଖୋର୍ଦ୍ଧା, କଟକ, ବରଗଡ଼, ଗଞ୍ଜାମ, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆସନ୍ତକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ସୂଚନାନୁଯାୟୀ , ତେବେ ବାକି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିପାରେ । ତେବେ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ଓ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।