ଭୁବନେଶ୍ୱର: ସୋମବାରରୁ ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା । ଏହି ପରୀକ୍ଷା ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା କମ୍ପ୍ୟୁଟର ବେସଡ଼ (ସିବିଟି) ମୋଡ଼ରେ ହେବ । ପ୍ରଥମ ଦିନରେ ବି. ଫାର୍ମା ପରୀକ୍ଷା ୩ଟି ଶିଫ୍ଟରେ ହେବ। ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ୍ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି ହୋଇଥିବା ବେଳେ ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।
ଚଳିତ ବର୍ଷ ପ୍ରଥମ ଥର ଲାଗି ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ ପାଟନା, ରାଞ୍ଚି ଓ କୋଲକାତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବିନା ପେନ୍ ପେପର୍ରେ ଅନଲାଇନ ମୋଡ଼ରେ କରାଯାଉଛି । ସେହିପରି କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ଆବେଦନକାରୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି । ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।
