ଭୁବନେଶ୍ୱର: ଆଜି ରାଜ୍ୟର ୪୫ଟି ଜାଗାରେ ପଞ୍ଚାୟତ ନିର୍ବାଚନ ପାଇଁ ପୁନଃ ମତଦାନ ଚାଲିଛି । ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟ ଗ୍ରହଣ ହେବ । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ୪୫ଟି ବୁଥରେ ଆଜି ସାନି ମତଦାନ କରାଯାଉଛି । ୯ ଜିଲ୍ଲା ମଧ୍ୟରୁ ଯାଜପୁରରେ ସର୍ବାଧିକ ୨୧ଟି ସ୍ଥାନରେ ହେବ ସାନି ଭୋଟ । ଭଦ୍ରକର ୬ଟି, ପୁରୀର ୫ଟି, ଢେଙ୍କାନାଳରେ ୪ଟି ସ୍ଥାନ, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୩-୩ଟି ଜାଗାରେ ହେବ ପୁନଃ ମତଦାନ । ବୌଦ୍ଧ, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ଜାଗାରେ ହେବ ସାନି ଭୋଟ । ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ମତାଦାନ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବୁଥରେ ଅଶାନ୍ତି ଓ ଗଣ୍ଡଗୋଳ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ତେବେ ଆଜି ହେଉଥିବା ରି ପୋଲିଂ ପରେ ବାଲାଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ଏସବୁକୁ ସୁରକ୍ଷିତ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସ୍ଥଗିତ ୩୦ଟି ବୁଥରେ ୨୫ ତାରିଖରେ ସାନି ମତଦାନ ହେବ ।