ଭୁବନେଶ୍ୱର: ବାଲିଯାତ୍ରା ପଡିଆରୁ ଜବତ ଗଳିତ ଶବର ପରିଚୟ ଠାବ ପାଇଁ କମିଶନରେଟ ପୋଲିସ ପୋଷ୍ଟର ମରା ଅଭିଯାନ ଆରମ୍ଭ କରିଛି । ମୃତକଙ୍କ ପରିଚୟ ପାଇବାକୁ ଆଜି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ବିଶେଷକରି ସର୍ବସାଧାରଣ ସ୍ଥାନ ଗୁଡିକରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଯୋଗାଯୋଗ ପାଇଁ କମିଶନରେଟ ପୋଲିସ ପକ୍ଷରୁ ନମ୍ବର ମଧ୍ୟ ଜାରି କରାଯାଇଛି । ଥାନା ଅଧିକାରୀ ସୁଧୀର କୁମାର ସାହୁ(୮୨୮୦୩୩୮୩୨୧, ୯୯୩୭୨୬୩୮୪୫), ସ୍ଥାନୀୟ ଏସିପି ଅନିଲ ମିଶ୍ର(୯୪୩୭୩୪୪୩୫୯) ଏବଂ ଭୁବନେଶ୍ୱର ଡିସିପି(୮୨୮୦୩୩୮୩୦୨)ନମ୍ବର ଉକ୍ତ ପୋଷ୍ଟରରେ ଦିଆଯାଇଛି । ଯଦି ମୃତ ବ୍ୟକ୍ତିଙ୍କ ପରିଚୟ ଠାବ କରିବାରେ ପୋଲିସକୁ କେହି ସାହାଯ୍ୟ କରନ୍ତି ତାଙ୍କ ନାମ ଏବଂ ପରିଚ୍ର ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଜାରୀ ହୋଇଥିବା ପୋଷ୍ଟରରେ ମୃତ ବ୍ୟକ୍ତିଙ୍କ ବୟସ ୧୮ରୁ ୨୫ ମଧ୍ୟରେ କୁହାଯିବା ସହ ଉଚ୍ଚତା ୫ ଫୁଟ ୮ ଇଞ୍ଜ, ମଧ୍ୟମ ସ୍ୱାସ୍ଥ୍ୟ ଥିବା କୁହାଯାଇଛି । ଏଥିସହିତ ସେ ପିନ୍ଧିଥିବା ହାପ୍ ଏବଂ ଫୁଲ ପ୍ୟାଣ୍ଡ, ସାର୍ଟ , ଚପଲ ଏବଂ ଏକ ଡାହାଣ କାନରେ ପିନ୍ଧିଥିବା ଏକ ଟପ୍ର ଫଟୋ ମଧ୍ୟ ଦିଆଯାଇଛି । ଆଜି ଏହି ପୋଷ୍ଟର ଗୁଡିକୁ ମଞ୍ଚେଶ୍ୱର ଥାନା, ରେଳ ଷ୍ଟେସନ, ବର ମୁଣ୍ଡା ବସ ଷ୍ଟାଣ୍ଡ, ସମେତ କେତକ ବସ୍ରେ ମଧ୍ୟ ଲଗାଯାଇଛି । ମୃତ ଦେହ ଉଦ୍ଧାର ହୋଇଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁୁ ପୋଲିସ ପଚରାଉଚରା କରିଛି । ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ଭିଷେରା ପରୀକ୍ଷା ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିିସ ଆଶା ରଖିଛି । ସ୍ପେଶାଲ ସ୍କ୍ୱାଡ଼, ମଞ୍ଚେଶ୍ୱର ଥାନା ପୋଲିସ ଏବଂ କମିଶନରେଟ ପୋଲିସର ନିଖୋଜ ଅଥବା ଅପହରଣ ସେଲ ତଦନ୍ତ ଚଳାଇଛନ୍ତି ।
କଟକ ଓ ଭୁବନେଶ୍ୱରରେ ଗତ କିଛିଦିନ ମଧ୍ୟରେ କୌଣସି ଥାନାରେ ଏଭଳି ନିଖୋଜ ଅଥବା ଅପହରଣ ସଂପର୍କିତ ଅଭିଯାଗ ହୋଇନଥିବା ବେଳେ ଯୁବକ ଜଣଙ୍କ ବାହାର ଜିଲ୍ଲାର ହୋଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।