ଓଡିଶା

କର୍ମବୀର ବବି କରୋନାର ତଦାରଖରେ ଆତ୍ମ ନିୟୋଜିତ

ଭୁବନେଶ୍ୱର: ଏକଦା ଗଣମାଧ୍ୟମକୁ ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ବା ବବି ଦାଶ କହିଥିଲେ, ଜନସେବା କରିବାକୁ ସେ ରାଜନୀତିକୁ ଓହ୍ଲାଇଛନ୍ତି । ତାଙ୍କ ପାଇଁ ପଦ ପଦବୀ ଗୁରୁତ୍ୱ ଦିଏନି । ସେ ଯେଉଁଠି ଥିଲେ ବି ଜନତାଙ୍କ ସେବା କରିବେ । ଅନ୍ୟ ନେତାଙ୍କ ପରି ଏହା ବବିଙ୍କ ବାହାସ୍ପଟ ପରି ସେତେବେଳେ ମନେ ହେଉଥିଲା । କିନ୍ତୁ ଗତ ଏକ ଦଶନ୍ଧି ଧରି ତାଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ତାଙ୍କ କଥା ଓ କାମ ଗୋଟିଏ, ଏହା ସ୍ପଷ୍ଟ ହୋଇଛି । ସେ ଯେତିକି କରିପାରିବେ ସେତିକି ହିଁ କହିଥାନ୍ତି । ଜନତା ସେବା ହିଁ ତାଙ୍କ ପାଇଁ ମାଧବ ସେବା । ସେ ଭୁବନେଶ୍ୱରରେ ଥାଆନ୍ତୁ ଅବା ନିଜ ଗାଁରେ, ସବୁ ସମୟରେ ସେ ଲୋକଙ୍କ ସେବାରେ ନିୟୋଜିତ ଥାନ୍ତି । ଲୋକଙ୍କ ସମସ୍ୟା ଶୁଣିବା ସହ ସେସବୁର ସମାଧାନ ପାଇଁ ତାଙ୍କ ସମସ୍ତ ସାଧ୍ୟ ଲଗାଇ ଦେଇଥାନ୍ତି ।

ଅନ୍ୟଦିନ କଥାଛାଡନ୍ତୁ । ବର୍ତ୍ତମାନ ସ୍ଥିତିରେ ମଧ୍ୟ ସେ ପୂର୍ବବତ ସକ୍ରିୟ ରହିଛନ୍ତି ଜନସେବାରେ । କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି । ପ୍ରାୟ ବିଶ୍ୱ ତମାମ ଲକଡାଉନ ସ୍ଥିତି ଦେଖାଦେଇଥିବା ବେଳେ ଭାରତରେ ଦୀର୍ଘ ୨୧ ଦିନ ପାଇଁ କର୍ଫ୍ୟୁ ଜାରି ହୋଇଛି । କର୍ଫ୍ୟୁ ପାଇଁ ନ ହେଲେ ମଧ୍ୟ କୋଭିଡ-୧୯ର ଭୟାବହତାକୁ ନେଇ ସମସ୍ତେ ଘରେ ରହିଛନ୍ତି । ଏପରି ସମୟରେ କିନ୍ତୁ ବବି ନିରବ ବସି ନାହାନ୍ତି । ସେ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ବିଭିନ୍ନ ସମୟରେ ଏହି ମହାମାରୀକୁ ପ୍ରତିହତ କରିବାକୁ ସଚେତନ କରାଇଚାଲିଛନ୍ତି । ପ୍ରତିଶେଧକମୂଳକ ପଦକ୍ଷେପ ଗ୍ରହଣ କରି ନିଜକୁ ଓ ନିଜ ପରିବାରକୁ ସୁରକ୍ଷା ଦେବାକୁ ସେ ଲୋକଙ୍କୁ ସଚେତନ କରୁଛନ୍ତି । ୨୪ ଘଣ୍ଟା ପାଇଁ ତାଙ୍କ ଦ୍ୱାର ଲୋକଙ୍କ ପାଇଁ ଖୋଲା ରଖିବା ସହ କେହିବି କୌଣସି ସମୟରେ ତାଙ୍କ ସହ ଭେଟି ତାଙ୍କ ସହଯୋଗ ପାଇପାରବେ ଏପରି ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସରକାର ତଥା ରାଜନେତାମାନେ ଲୋକଙ୍କୁ ସଚେତନ କରୁଛନ୍ତି । ଏହା ବବି ମଧ୍ୟ କରୁଛନ୍ତି । ତେବେ ଏତିକିରେ ତାଙ୍କ କାମ ଶେଷ ହୋଇନାହିଁ । ସେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ତାଙ୍କ ଏମଏଲଏ ଲାଡ ଫଣ୍ଡରୁ ପୂରା ଏକ ବର୍ଷର ରାଶି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ, ଏବେ ବବିଙ୍କୁ ପୂର୍ବାପେକ୍ଷା ଅଧିକ ସକ୍ରିୟ ଦେଖିବାକୁ ମିଳୁଛି । ସେ ଯାଜପୁର ଅଞ୍ଚଳର ବିଭିନ୍ନ ସ୍ଥାନ ଭ୍ରମର କରି ସେଠାକାର ସ୍ଥିତି, ପରିଚ୍ଛନ୍ନତା, ସୁବିଧା ସୁଯୋଗର ଅନୁଧ୍ୟାନ କରୁଛନ୍ତି । ଅନ୍ୟ ନେତା ମନ୍ତ୍ରୀ ତାଙ୍କ ଅଧୀନସ୍ଥ ସରକାରୀ କର୍ମଚାରୀ ବା ଦଳୀୟ କର୍ମକର୍ତ୍ତାଙ୍କୁ କାମର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବବି କିନ୍ତୁ ରାମଚନ୍ଦ୍ରଙ୍କ ଅନ୍ଧାରି ବିଜେ ପରି ଏକା ବିଭିନ୍ନ ହସ୍ପିଟାଲ, ନାଳ ନର୍ଦ୍ଦମା, ହଷ୍ଟେଲ ଆଦିର ପରିସ୍କାର ପରିଚ୍ଛନ୍ନତାର ସ୍ୱୟଂ ତଦାରଖ କରୁଛନ୍ତି । ରାତିରେ ଅନ୍ୟମାନେ ଶୋଉଥିବା ବେଳେ ସେ କିନ୍ତୁ ବିଭିନ୍ନ ସ୍ଥାନ ବୁଲି ଲକଡାଉନର ତଦାରଖ କରୁଛନ୍ତି । ଦିନ ଆଲୁଅରେ ତାଙ୍କ ଉପସ୍ଥିତି ଜନଗହଳି ସୃଷ୍ଟି କରିବ, ଯାହା କରୋନା ସଂକ୍ରମଣ ପାଇଁ ସହାୟକ ହେବ । ତେଣୁ ସେ ରାତିରେ ତାଙ୍କ ତଦାରଖ କାର୍ଯ୍ୟ କରୁଛନ୍ତି । କିଛି ନିକଟତମ କର୍ମକର୍ତ୍ତାଙ୍କୁ ନେଇ ବବିଙ୍କ ଗସ୍ତ ଥିବାବେଳେ କିନ୍ତୁ ସାମାଜିକ ଦୂରତା ରକ୍ଷା କରୁଛନ୍ତି ସେ । ନିକଟରେ ସେ ଏନସି କଲେଜ ହଷ୍ଟେଲକୁ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିର ଯାଞ୍ଚ କରିବା ସହ କଲେଜର ସ୍ୱଚ୍ଛତା ସମ୍ପର୍କରେ ବୁଝିଥିଲେ । କରୋନା ପରି ଏକ ଭୟଙ୍କର ମହାମାରୀ ମଧ୍ୟରେ ମଧ୍ୟ ବବିଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ ଓ ସ୍ଥିତିର ଅନୁଧ୍ୟାନ ବାସ୍ତବରେ ପ୍ରଶଂସନୀୟ । ଏହା ନିଶ୍ଚିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଦେବ ।

Related posts

ସେପ୍ଟେମ୍ବରରେ ଚାଳିବ ଇ-ଯାନ

mahabharatanews

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

ଖଲ୍ଲିକୋଟ ବିଧାୟିକାଙ୍କ ଗାଁରେ ଗୋଷ୍ଠୀ ସଙ୍ଘର୍ଷ

mahabharatanews