(ଭୁବନେଶ୍ୱର) : ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ମହାମହିମ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଜଧାନୀ ରାଂଚି ପହଂଚିବେ ଓ ସେଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଠାରୁ ସେ ବାୟୂସେନାର ହେଲିକେପ୍ଟର ଯୋଗେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପହଂଚି ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ ।
ସୂଚନାନୁଯାୟୀ , ରାଇରଙ୍ଗପୁର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ହୋଲିଡେ ହୋମ୍ର ଭୂମିପୂଜା କରିବେ । ପରେ କଣ୍ଟାବଣୀ ଗ୍ରାମ ନିକଟରେ ଉପଖଣ୍ଡରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ କ୍ରୀଡ଼ା ପରିସର ଓ ଅନୁସୂଚିତ ଜାତି ଓ ଜନଜାତି କେନ୍ଦ୍ରର (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।
