ଅପରାଧ

ରମାଦେବୀ ଛାତ୍ରୀଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

ଭୁବନେଶ୍ୱର: ଘର ମୟୂରଭଞ୍ଜ, ପାଠପଢନ୍ତି ଭୁବନେଶ୍ୱରରେ କିନ୍ତୁ ମୃତଦେହ ମିଳିଲା ଯାଜପୁରରୁ । ଆଜି ସକାଳେ ଯାଜପୁର କାଆଖିଆ ଅନ୍ତର୍ଗତ କାଳିଆପାଣି ଛକ ଠାରୁ ଅଳ୍ପ ଦୂରରେ ଏକ ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ତେବେ ସ୍ଥାନୀୟ ଲୋକେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଯୁବତୀଙ୍କୁ ଆଣି ସେଠାରେ ଫିଙ୍ଗି ଦେଇଥିବା ଦେଖିଥିଲେ । ଏହାକୁ ନେଇ ପୁଲିସର ପ୍ରାଥମିକ ତଦନ୍ତ ପରେ ଯୁବତୀଙ୍କ ବ୍ୟାଗରୁ ମିଳିଥିବା ତାଙ୍କ ଆଇ କାର୍ଡରୁ ସେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ୨ୟ ବର୍ଷ ଛାତ୍ରୀ ଥିବା ଜଣାପଡିଥିଲା । ଏହାପରେ ପୁଲିସ ଛାନଭିନ୍ନ କରି ତାଙ୍କ ଘର ମୟୂରଭଞ୍ଜରେ ହୋଇଥିବା ଜାଣିବାକୁ ପାଇଥିଲା ଓ ତାଙ୍କ ପରିବାରକୁ ସୂଚନା ଦେଇଥିଲା । ସୂଚନା ପାଇ ଯୁବତୀଙ୍କ ବାପା କାଳିଆପାଣିରେ ପହଞ୍ଚି ମୃତଦେହ ତାଙ୍କ ଝିଅ ଝରାଫୁଲର ବୋଲି ଚିହ୍ନଟ କରିଛନ୍ତି ।
ଝରାଙ୍କ ବାପାଙ୍କ ଅନୁଯାୟୀ, ଝରା ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ପାଠ ପଢନ୍ତି । ତେବେ କରୋନା ପାଇଁ କଲେଜ ବନ୍ଦ ଥିବାରୁ ସେ ଗାଁରେ ରହିଆସୁଥିଲେ । ହେଲେ ଗତ ୨୫ ତାରିଖରେ ତାଙ୍କ ଭଉଣୀଙ୍କ ଜନ୍ମଦିନ ଥିଲା, ଯିଏ ଭୁବନେଶ୍ୱରରେ ରୁହନ୍ତି । ତେଣୁ ଝରା ୨୪ ତାରିଖରେ ଭୁବନେଶ୍ୱର ଆସିଥିଲେ ଓ ଜନ୍ମଦିନ ପରଦିନ ଅର୍ଥାତ୍ ୨୬ ତାରିଖରେ ସେ ଗାଁ ପାଇଁ ବାହାରିଥିଲେ । ଜଣେ ସମ୍ପର୍କୀୟ ତାଙ୍କୁ ମୟୂରଭଞ୍ଜ ବସରେ ବସାଇ ଦେଇଥିଲେ । କିଛି ସମୟ ପରେ ଝରାଙ୍କ ବାପା ତାଙ୍କୁ ଫୋନ କରି କେଉଁଠି ପଚାରିବାରୁ ଝରା କହିଥିଲେ ତାଙ୍କର ଝାଡା ବାନ୍ତି ହେଉଛି । ସେ ତାଙ୍କ ସାଙ୍ଗ ସୋନାଲି ଘରେ ରହିଯାଇଛନ୍ତି । କିଛି ସମୟ ବ୍ୟବଧାନରେ ପୁଣି ତାଙ୍କ ବାପା ଫୋନ କରିବାରୁ ଫୋନ ଅଫ ଥିଲା ଓ ଘରେ ସମସ୍ତେ ବ୍ୟସ୍ତ ହୋଇପଡିଥିଲେ । କିନ୍ତୁ ପରେ ଝରା ବାପାଙ୍କୁ ଫୋନ କରି ଦେହ ଭଲ ନ ଥିବା ଜଣାଇଥିଲେ । ତା ପରେ ତାଙ୍କ ଫୋନ ଅଫ ଆସିଥିଲା । ଆଜି ସକାଳୁ ବାପା ପୁଣି ଫୋନ କରିଥିଲେ ମଧ୍ୟ ଫୋନ ଅଫ ଥିଲା । ଏହା ପରେ ଯାଜପୁର ପୁଲିସ ତାଙ୍କୁ ଫୋନ କରି ଯାଜପୁର ଡକାଇଥିଲେ ।
ଏହି ଘଟଣାରେ ରମାଦେବୀ କଲେଜ କର୍ତ୍ତୃପକ୍ଷ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଗତ ମାର୍ଚ୍ଚରୁ କଲେଜ ବନ୍ଦ ଥିଲା । ଏବେ ୧୧ ତାରିଖରୁ କଲେଜ ଖୋଲିଛି । ତେବେ କେବଳ +୩ ଶେଷ ବର୍ଷ ଓ ପିଜି ଶେଷ ବର୍ଷର ଛାତ୍ରୀଙ୍କ ଅଫଲାଇନ କ୍ଲାସ ଚାଲିଛି । ଅନ୍ୟ କ୍ଲାସ ସବୁ ଅନଲାଇନରେ ହେଉଛି । ତେଣୁ ସେ କଲେଜ ଆସିବାର ବା ହଷ୍ଟେଲରେ ରହିବାର ପ୍ରଶ୍ନ ଉଠୁନାହିଁ । ତେବେ ସମସ୍ତ ଘଟଣା କାଳିଆପାଣିରେ ଥିବା ଏକ ସିସି ଟିଭିରେ କଏଦ ହୋଇଛି । ପୁଲିସ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଛି ।

 

Related posts

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews

ଟିପିଏସ କଲେଜ ପ୍ରଫେସରଙ୍କୁ ଗୁଳିମାଡ

mahabharatanews

ଆନ୍ଧ୍ର ପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ପିଆଜ ବୋଝେଇ ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ

mahabharatanews

Leave a Comment